ପୁଣି ବଡ଼ ବିସ୍ଫୋରଣ: ଏକାଧିକ ପୋଲିସ ମୃତ, ଅନେକ ଆହତ

ନିଜକୁ ଦାୟୀ କଲା ଆତଙ୍କୀ ସଙ୍ଗଠନ! ତନାଘନା ଜାରି

ଜମ୍ମୁ-କାଶ୍ମୀର, ୧୫/୧୧: ଦିଲ୍ଲୀର ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ରେ ଘଟିଥିବା ବିସ୍ଫୋରଣ ଏବେ ବି ତଦନ୍ତ ଘେରରେ ଥିବା ବେଳେ ପୁଣି ଆଉ ଏକ ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଛି। ଜମ୍ମୁକାଶ୍ମୀରର ଦକ୍ଷିଣ ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି।

ନଭେମ୍ବର ୧୪ ରାତି ପ୍ରାୟ ୧୧ଟା ୨୦ ସମୟରେ ଏହି ଅଘଟଣ ଘଟିଥିଲା। ଶ୍ରୀନଗରର ନୌଗାମ ଥାନାରେ ହୋଇଥିବା ବଡ଼ ବିସ୍ଫୋରଣରେ ପ୍ରାୟ ୯ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୩୦୦ ମିଟର ପର୍ଯ୍ୟନ୍ତ ଶରୀରର ଅଂଶ ଗୁଡ଼ିକ ଛିଟିକି ପଡ଼ିଥିଲା।

ଜମ୍ମୁ ଏବଂ କାଶ୍ମୀର ପୋଲିସ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏହା ଏକ ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ଏକ ଦୁର୍ଘଟଣାଜନିତ ବିସ୍ଫୋରଣ ଥିଲା। ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଦଳ, ସ୍ଥାନୀୟ ପୋଲିସ କର୍ମଚାରୀ ଏବଂ ଜଣେ ତହସିଲଦାର (ରାଜସ୍ୱ ଅଧିକାରୀ)ଙ୍କୁ ନେଇ ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମଗ୍ରୀର ଯାଞ୍ଚ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ବିସ୍ଫୋରଣରେ ପୋଲିସ କାର ସମେତ ଅନେକ ଯାନବାହାନ ନିଆଁରେ ପୋଡ଼ି ଯାଇଥିଲା ଏବଂ ଭଗ୍ନାବଶେଷ ବହୁ ଦୂରକୁ ବିଛାଡ଼ି ହୋଇ ପଡ଼ିଥିଲା। ବିସ୍ଫୋରଣ ଯୋଗୁଁ ରାୱଲପୋରା ଭଳି ପଡ଼ୋଶୀ ଅଞ୍ଚଳ ସମେତ ନିକଟବର୍ତ୍ତୀ ଘର ଏବଂ କୋଠାଗୁଡ଼ିକର ଝରକା ଭାଙ୍ଗି ଯାଇଥିଲା।

ଏହି ବିସ୍ଫୋରଣ ପାଇଁ ଜୈଶ-ଏ-ମହମ୍ମଦର ଶାଖା PAFF ନିଜକୁ ଦାୟୀ କରିଛି। ଯଦିଓ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ବିସ୍ଫୋରଣ କିପରି ହୋଇଛି।

ନଭେମ୍ବର ଜୈସ୍-ଏ-ମହମ୍ମଦ (JeM) ଆତଙ୍କବାଦୀ ମଡ୍ୟୁଲ୍ ର ତଦନ୍ତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ସେହି ବିସ୍ଫୋରକ ସାମଗ୍ରୀକୁ ଏହି ନୌଗାମ ଥାନାରେ ରଖା ଯାଇଥିଲା। ସେସବୁ ଆମୋନିୟମ୍ ନାଇଟ୍ରେଟ୍ ଥିଲା। ଯାହା ବୋମା ତିଆରିରେ ଲାଗେ। ଏହି ନୌଗାମ ଥାନା ପୋଲିସ ହିଁ ଏହି ଟେରର ମୋଡ୍ୟୁଲର ପ୍ରଥମେ ପର୍ଦ୍ଦାଫାଶ କରିଥିଲା। ଏହା ପରେ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ହ୍ୱାଇଟ ଟେରର ମୋଡ୍ୟୁଲର ତନାଘନା।

ପ୍ରଥମେ ଅକ୍ଟୋବର ୧୯ରେ ନୌଗାମ୍ ଅଞ୍ଚଳରେ ଜୈଶ୍-ଏ-ମହମ୍ମଦର ପ୍ରଚାର ପୋଷ୍ଟର ଦେଖାଯିବା ପରେ ପର୍ଦ୍ଦାଫାସ୍ ହୋଇଥିଲା। ତଦନ୍ତ ପରେ ଜମ୍ମୁ ଏବଂ କାଶ୍ମୀର, ହରିୟାଣା, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଅନେକ ଗିରଫ ହୋଇଥିଲେ ଏବଂ ୨୯୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ, ରାସାୟନିକ ପଦାର୍ଥ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଏହି ଘଟଣାରେ ଜଡ଼ିତ ଲାଲ କିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ।

ଏହା ପର‌ଦିନ ଜଣା ପଡ଼ିଥିଲା ଯେ, ଡାକ୍ତର ଉମର ନବି ନାମକ ବିସ୍ଫୋରଣ ଘଟିଥିବା ହୁଣ୍ଡାଇ i20 ଚଳାଉଥିଲେ। ଅଧିକାରୀମାନେ କହିଥିଲେ ଯେ, ଲଗାତାର କିଛି ଆତଙ୍କୀ ଡ଼ାକ୍ତରଙ୍କ ପର୍ଦ୍ଦାଫାଶ ପରେ ଭୟଭୀତ ହୋଇଯାଇଥିଲା ଉମର ନାବି। ତେଣୁ ବିସ୍ଫୋରକ ସାମଗ୍ରୀକୁ ସ୍ଥାନାନ୍ତର କରିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।