କବର ଭିତରେ ଚିର ନିଦ୍ରାରେ ହ୍ୟୁମାନ ସାଗର

ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟରେ ଅମର ରହିବେ ହ୍ୟୁମାନ

ଭୁବନେଶ୍ଵର, ୧୮/୧୧: ଓଡ଼ିଶା ସଂଗୀତ ଜଗତର ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗରଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକର ତାଙ୍କ ପୈତୃକ ଗାଁ ଡେଙ୍ଗାରେ ହ୍ୟୁମାନ ସାଗରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଏକ ଚର୍ଚ୍ଚରେ ପାରମ୍ପରିକ ରୀତିନୀତିରେ‌ ଅନୁଷ୍ଠିତ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଲକ୍ଷାଧିକ ପ୍ରଶଂସକ ଓ ଶୁଭେଚ୍ଛୁ ସାମିଲ ହୋଇ ମରଶରୀରକୁ ଅଶ୍ରୁଳ ବିଦାୟ ଦେଇଥିଲେ।

ମଙ୍ଗଳବାର ଦିନ ୧୦ଟାରେ ତାଙ୍କ ପାର୍ଥିବ ଶରୀର ବଲାଙ୍ଗୀରରେ ପହଞ୍ଚିଥିଲା। ଏହା ପରେ‌ ଟିଟିଲାଗଡ଼ରେ ଏକ ବିଶାଳ ଶୋଭାଯାତ୍ରାରେ ହ୍ୟୁମାନଙ୍କ ମରଶରୀରକୁ ପରିକ୍ରମା କରାଯାଇଥିଲା। ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀର ଟିଟିଲାଗଡ଼ରେ ପହଞ୍ଚିଲା ପରେ ହ୍ୟୁମାନଙ୍କ ଘରେ ଓ ଘର ବାହାରେ ପ୍ରବଳ ଭିଡ଼ ଲାଗିଥିଲା। ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ହଜାର ହଜାର ହ୍ୟୁମାନ ପ୍ରେମୀ। ହ୍ୟୁମାନ ଅମର ରହେ ସ୍ଳୋଗାନରେ କମ୍ପି ଉଠିଥିଲା ସାରା ଟିଟିଲାଗଡ଼ ସହର।

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗତକାଲି ରାତି ୯ଟା ୮ରେ ପରଲୋକ ଘଟିଥିଲା। ୩୬ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ହ୍ୟୁମାନ ସାଗର। କିଡନୀ ଓ ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ। ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁ ନଥିଲା। ଶ୍ୱାସକ୍ରିୟା ଜନିତ ସମସ୍ୟା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ କୋଲକାତାରୁ ଇଞ୍ଜେକସନ ମେଗା ଯାଇଥିଲା। ଏହା ସତ୍ତ୍ୱେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିନଥିଲା।

୨୦୧୨ରେ ସଙ୍ଗୀତ ଜଗତରେ ପାଦ ଥାପିଥିବା ହ୍ୟୁମାନ ତରଙ୍ଗ ଟିଭିରେ ପ୍ରସାରିତ ରିୟଲିଟି ମୋ ଭଏସ୍ ଅଫ୍ ଓଡ଼ିଶା ସିଜିନ ୨ର ବିଜେତା ଥିଲେ। ଏହା ପରେ ତାଙ୍କର ୨୦୧୫ରେ କ୍ୟାରିୟର ଗଢ଼ିବା ଆରମ୍ଭ ହୋଇଥିଲା। ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’‌ରେ ଗୀତ ଗାଇବାର ସୁଯୋଗ ପାଇଥିଲେ ହ୍ୟୁମାନ। ଏହା ପରେ ଦେଇ ଚାଲିଥିଲେ ଗୋଟେ ପରେ ଗୋଟେ ହିଟ୍ ଗୀତ। ଶ୍ରୋତାଙ୍କ ମନରେ ଏପରି ବାନ୍ଧି ହୋଇ ଯାଇଥିଲେ ଯେ, ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ ନାଁ ହ୍ୟୁମାନ ସାଗର। ଫିଲ୍ମ ହେଉ କି ଆଲବମ୍… ଷ୍ଟେଜ ପ୍ରୋଗ୍ରାମରେ ବି ପ୍ରଥମେ ଖୋଜା ପଡ଼ନ୍ତି ହ୍ୟୁମାନ। ସେ ୧୦ ବର୍ଷର କ୍ୟାରିୟରରେ ୧୫ ହଜାରରୁ ଉର୍ଦ୍ଧ୍ବ ଗୀତ ଗାଇଛନ୍ତି। ଯାହା ଆଜି ବି ଶ୍ରୋତାଙ୍କ ହୃଦୟରେ ଅମର ରହିବେ।