ଦିଲ୍ଲୀ ବିସ୍ଫୋରଣ ମାମଲା: ବଢ଼ିଲା ଗିରଫଦାରୀ ସଂଖ୍ୟା

ଆଉ ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ, ୨୦/୧୧: ନଭେମ୍ବର ୧୦ ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଚାରି ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି। ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଚାରି ଜଣଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇ ୧୦ ଦିନିଆ NIA ହେପାଜତକୁ ପଠାଇ ଦିଆଯାଇଛି।

ଅଭିଯୁକ୍ତମାନେ ହେଲେ ପୁଲୱାମାର ଡାକ୍ତର ମୁଜାମ୍ମିଲ ଶକିଲ ଗଣାଇ, ଅନନ୍ତନାଗର ଡାକ୍ତର ଆଦିଲ ଅହମ୍ମଦ ରାଥର, ଲକ୍ଷ୍ନୌର ଡାକ୍ତର ଶାହିନ ସଇଦ ଏବଂ ଶୋପିଆନର ମୁଫତି ଇରଫାନ ଅହମ୍ମଦ ୱାଗାୟ ଭାବରେ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଆତଙ୍କବାଦୀ ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ

ଦିଲ୍ଲୀ ବିସ୍ଫୋରଣ ମାମଲାରେ ଆମିର ରସିଦ ଅଲିଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ଏହା ପରେ, କାଶ୍ମୀରର ଜସିର ବିଲାଲ ୱାନି ଓରଫ ଦାନିଶଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେମାନେ ଦୁହେଁ ଆତ୍ମଘାତୀ ଆକ୍ରମଣକାରୀ ଉମର ଉନ୍ ନବିଙ୍କୁ ସହାୟତା କରିଥିଲେ। ଏବେ, ପୋଲିସ ଆତଙ୍କବାଦୀ ଆକ୍ରମଣ ଘଟାଇବାରେ ସାହାଯ୍ୟ କରିଥିବା ଅନ୍ୟ ଚାରି ଜଣଙ୍କୁ ଗିରଫ କରିଛି।

୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗାଯିବା ଘଟଣାର ପ୍ରତିଶୋଧ ନେବା ପାଇଁ ଡିସେମ୍ବର ୬ ତାରିଖରେ ଆତଙ୍କବାଦୀମାନେ ଏକ ବଡ଼ ବିସ୍ଫୋରଣ ଯୋଜନା କରୁଥିଲେ। ଜମ୍ମୁ ଏବଂ କାଶ୍ମୀର ପୋଲିସ ସହାରନପୁରରୁ ଡକ୍ଟର ଆଦିଲକୁ ଗିରଫ କରିଥିଲା। ସେ ଶ୍ରୀନଗରରେ ସୁରକ୍ଷା ବାହିନୀକୁ ଧମକ ଦେଉଥିବା ପୋଷ୍ଟର ଲଗାଇଥିବା ଦେଖାଯାଇଥିଲା। ଆଦିଲର ସୂଚନା ପରେ, ଡକ୍ଟର ମୁଜାମ୍ମିଲ ଏବଂ ଶାହିନଙ୍କୁ ଗିରଫ କରାଯାଇଥିଲା। ପରେ ଫରିଦାବାଦରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ୨୯୦୦ କିଲୋ ବିସ୍ଫୋରକ ଜବତ କରାଯାଇଥିଲା। ଏହା ଉମର ନବିଙ୍କୁ ଭୟଭୀତ କରିଥିଲା ଏବଂ ସେ ସମୟ ପୂର୍ବରୁ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ମଡ୍ୟୁଲ୍ ସହିତ ଜଡିତ ଅନ୍ୟ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। NIA ତଦନ୍ତ ଜାରି ରହିଛି, ଏବଂ ଆଗାମୀ ଦିନରେ ଆହୁରି ଅନେକଙ୍କୁ ଗିରଫ କରାଯାଇପାରେ।