ସ୍କୁଲ ନିକଟରୁ ୧୬୧ ଜିଲେଟିନ ଷ୍ଟିକ୍ ଉଦ୍ଧାର

ଛାନଭିନ ଜାରି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଡେରାଡୁନ, ୨୩/୧୧: ଉତ୍ତରାଖଣ୍ଡ ପୋଲିସ ଆଲମୋରାର ଏକ ସରକାରୀ ସ୍କୁଲ ନିକଟରୁ ୧୬୧ଟି ଜିଲେଟିନ୍ ଷ୍ଟିକ୍ ଯାହା ଏକ ଶକ୍ତିଶାଳୀ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହା ଫରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ସେହି ଅଞ୍ଚଳରେ ବିସ୍ତୃତ ତଦନ୍ତ ଆରମ୍ଭ ହୋଇଛି।

ଗୁରୁବାର ସନ୍ଧ୍ୟାରେ ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୋଲିସକୁ ସୂଚନା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପିଲାମାନେ ଖେଳୁଥିବା ସମୟରେ ନିକଟସ୍ଥ ବୁଦାରେ ଏକ ସନ୍ଦିଗ୍ଧ ବସ୍ତୁ ଦେଖିଥିଲେ।

ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ତୁରନ୍ତ ଘେରାବନ୍ଦୀ କରିନେଇଥିଲା। ବୋମା ନିଷ୍କ୍ରିୟକାରୀ ଏବଂ କୁକୁର ସ୍କ୍ବାଡ୍ ମିଶି ବିସ୍ତୃତ ସନ୍ଧାନ କରିଥିଲେ। ଘଟଣାସ୍ଥଳରୁ ବିସ୍ଫୋରକ ଜବତ କରାଯାଇଛି।

ଆଲମୋରାର ବରିଷ୍ଠ ପୋଲିସ ଅଧିକ୍ଷକ (ଏସଏସପି) ଦେବେନ୍ଦ୍ର ପିଞ୍ଚା ଏହି ଘଟଣା ସମ୍ପର୍କରେ ନିଶ୍ଚିତ କରି କହିଛନ୍ତି ଯେ ତଦନ୍ତ ଚାଲିଛି। ସେ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି।