‘ତୃତୀୟ ବିଶ୍ୱ’ କ’ଣ ଓ କେଉଁଠାରୁ ଉତ୍ପତ୍ତି?

କାହିଁକି ବିକଶିତ ରାଷ୍ଟ୍ରମାନେ ପ୍ରତ୍ୟେକ ଅପରାଧରେ 'ତୃତୀୟ ବିଶ୍ୱ' ରାଷ୍ଟ୍ର ଉଦାହରଣ ଦିଅନ୍ତି

‘ବିଶ୍ୱ’ କେତେ ପ୍ରକାର ଓ ଭାରତ କେଉଁ ‘ବିଶ୍ୱ’ରେ ଅନ୍ତର୍ଭୁକ୍ତ

ଆମେ ଅନେକ ସମୟରେ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକଠାରୁ ‘ତୃତୀୟ ବିଶ୍ୱ’ ବୋଲି ଶୁଣିଛେ। ପ୍ରାୟତଃ ପାଶ୍ଚାତ୍ୟ ଦେଶଗୁଡ଼ିକରେ କୌଣସି ବଡ଼ ଧରଣର ଅପରାଧିକ କାର୍ଯ୍ୟକଳାପ ଘଟିଲେ ସେମାନେ ‘ତୃତୀୟ ବିଶ୍ୱ’ର ଉଦାହରଣ ଦେଇଥାନ୍ତି। କିନ୍ତୁ ମନରେ ଏକ ପ୍ରଶ୍ନ ନିଶ୍ଚୟ ଆସୁଥିବ ଯେ, ଆମେ ତ ଜାଣିଛେ ବିଶ୍ୱ ଗୋଟିଏ! ପୁଣି ଏ ‘ତୃତୀୟ ବିଶ୍ୱ’ କ’ଣ?

 

‘ତୃତୀୟ ବିଶ୍ୱ’ କ’ଣ ଓ କେଉଁଠାରୁ ଉତ୍ପତ୍ତି?

‘ତୃତୀୟ ବିଶ୍ୱ’ ଶବ୍ଦଟି ଶୀତଳ ଯୁଦ୍ଧ ସମୟରୁ ଆସିଛି। ଯେତେବେଳେ ବିଂଶତମ ଶତାବ୍ଦୀର ପଚାଶ ଦଶକରେ ଶୀତଳ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ବିଶ୍ୱରେ ନେତୃତ୍ୱ ନେବା ପାଇଁ ଦୁଇଟି ମହା ଶକ୍ତି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସୃଷ୍ଟି ହୋଇଥିଲା। ସେ ହେଲା ଆମେରିକା ଓ ସୋଭିଏତ ସଂଘ। ଏହି ଦୁଇ ଦେଶକୁ ସମର୍ଥନ କରିବା ପାଇଁ ପୃଥକ ଭାବରେ କିଛି ରାଜନୈତିକ ଓ ସାମରିକ ମେଣ୍ଟ ମଧ୍ୟ ଗଠନ ହୋଇଥିଲା। ଯାହା ପରେ ବିଶ୍ବକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଯେଉଁ ମାନେ ଏହି ମେଣ୍ଟରେ ସଦସ୍ୟ ନଥିଲେ, ସେମାନଙ୍କୁ ‘ତୃତୀୟ ବିଶ୍ୱ’ ବୋଲି କୁହାଗଲା। ଅନେକ ବିକାଶଶୀଳ, ଗରିବ ଦେଶଗୁଡିକୁ ମଧ୍ୟ ‘ତୃତୀୟ ବିଶ୍ୱ’ ରାଷ୍ଟ୍ର ଭାବରେ ପରିଗଣିତ କରାଯାଏ।

ଫ୍ରାନ୍‌ସର ଜଣେ ଜନସଂଖ୍ୟାବିତ୍‌ ଆଲଫ୍ରେଡ ସାଉଭି ୧୯୫୨ରେ ନିଜର ଏକ ଆର୍ଟିକିଲରେ ପ୍ରଥମେ ‘ତୃତୀୟ ବିଶ୍ୱ’ ଶବ୍ଦର ବ୍ୟବହାର କରିଥିଲେ। ଏସିଆ, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଆମେରିକାର ଅନେକ ଗରିବ ଓ ବିକାଶଶୀଳ ଦେଶ ସମେତ ଆମେରିକା ଓ ସୋଭିଏତ ସଂଘ ନେତୃତ୍ୱାଧୀନ କୌଣସି ମେଣ୍ଟରେ ସାମିଲ ନ ଥିବା ଦେଶଗୁଡିକୁ ‘ତୃତୀୟ ବିଶ୍ୱ’ କୁହାଗଲା।

ସମୟକ୍ରମେ ଏକ ମାନସିକତା ସୃଷ୍ଟି ହେଲା ଯେ, ସବୁ ଖରାପ, ଅହିତକର, ଜନବିରୋଧୀ ଘଟଣା ଯେଉଁଠି ଘଟେ ଏବଂ ଅରାଜକତା, ବିଦ୍ରୋହ, ଧାର୍ମିକ ଅସହିଷ୍ଣୁତା ଓ ମାନବାଧିକାର ଉଲ୍ଲଙ୍ଘନ ଦେଖାଯାଏ, ତାହା ହେଉଛି ‘ତୃତୀୟ ବିଶ୍ୱ’ ରାଷ୍ଟ୍ର। ଏହି ବିଶ୍ୱରେ ଲୋକେ ଅଶିକ୍ଷିତ, ଉଗ୍ର ଓ ହିଂସ୍ର।

ଐତିହାସିକ ଭାବରେ, ପ୍ରଥମ ବିଶ୍ୱ ଆମେରିକା ସହିତ ମିଳିତ ଗଣତାନ୍ତ୍ରିକ, ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକୁ ବୁଝାଉଥିଲା। ଦ୍ୱିତୀୟ ବିଶ୍ୱ ଶ୍ରମିକ ଏବଂ କୃଷକଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ-ସମାଜବାଦୀ ରାଷ୍ଟ୍ରଗୁଡ଼ିକୁ ଏବଂ ତୃତୀୟ ବିଶ୍ୱ କୌଣସି ଗୋଷ୍ଠୀର ଅନ୍ତର୍ଭୁକ୍ତ ନ ଥିବା ଅଧିକାଂଶ ଦେଶକୁ ବୁଝାଉଥିଲା।

 

‘ପ୍ରଥମ ବିଶ୍ୱ’ରେ ଉତ୍ତର ଆମେରିକା, ପଶ୍ଚିମ ୟୁରୋପ, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ ଥିଲା। ପଶ୍ଚିମ ସମ୍ପର୍କ ଯୋଗୁଁ ଅନେକ ଆଫ୍ରିକୀୟ ଅଞ୍ଚଳ ଏଠାରେ ଅନ୍ତର୍ଭୁକ୍ତ ହୋଇଥିଲା, ଯେପରିକି ସ୍ପେନ ଅଧୀନରେ ଥିବା ପଶ୍ଚିମ ସାହାରା, ଦକ୍ଷିଣ ଆଫ୍ରିକା ଏବଂ ଦକ୍ଷିଣ ପଶ୍ଚିମ ଆଫ୍ରିକା (ନାମିବିଆ), ଯେତେବେଳେ ଆଙ୍ଗୋଲା ଏବଂ ମୋଜାମ୍ବିକ ୧୯୭୫ ମସିହାରେ କମ୍ୟୁନିଷ୍ଟ ହେବା ପର୍ଯ୍ୟନ୍ତ ପର୍ତ୍ତୁଗୀଜ୍ ଦ୍ୱାରା ପରିଚାଳିତ ଥିଲା। ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ୍, ଅଷ୍ଟ୍ରିଆ, ଆୟର୍ଲାଣ୍ଡ ଏବଂ ଫିନଲ୍ୟାଣ୍ଡ ଭଳି ନିରପେକ୍ଷ ରାଜ୍ୟଗୁଡ଼ିକୁ ମଧ୍ୟ ପ୍ରଭାବଶାଳୀ ଭାବରେ ପ୍ରଥମ ବିଶ୍ୱ ଭାବରେ ବିବେଚନା କରାଯାଇଥିଲା।

‘ଦ୍ୱିତୀୟ ବିଶ୍ୱ’ରେ ପୂର୍ବ ୟୁରୋପରୁ ପୋଲାଣ୍ଡ, ପୂର୍ବ ଜର୍ମାନୀ, ଚେକୋସ୍ଲୋଭାକିଆ ଏବଂ ବାଲକାନ ସମେତ ସୋଭିଏତ୍ ରିପବ୍ଲିକ ଏବଂ ଚୀନ୍ ସହିତ ଜଡିତ ଏସୀୟ କମ୍ୟୁନିଷ୍ଟ ଦେଶ ଯେପରିକି ମଙ୍ଗୋଲିଆ, ଉତ୍ତର କୋରିଆ, ଭିଏତନାମ, ଲାଓସ ଏବଂ କାମ୍ବୋଡିଆ ସାମିଲ ଥିଲା।

‘ତୃତୀୟ ବିଶ୍ୱ’ରେ ଅନ୍ୟ ସମସ୍ତ ରାଷ୍ଟ୍ର ଅନ୍ତର୍ଭୁକ୍ତ ଥିଲେ। ଯେପରିକି ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ମୁଖ୍ୟତଃ ଅନୁନ୍ନତ କୃଷି ରାଷ୍ଟ୍ର। ଭାରତ ମଧ୍ୟ ଏହି ବିଶ୍ୱରେ ଅନ୍ତର୍ଭୁକ୍ତ ଅଛି।

 

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କ’ଣ ସତରେ ‘ତୃତୀୟ ବିଶ୍ୱ’ ରାଷ୍ଟ୍ର ହିଁ ଏତେ ଖରାପ। ପ୍ରକୃତରେ ଆମେ ଅତୀତରେ ଓ ଏବେ ମଧ୍ୟ ଏକାଧିକ ବିକଶିତ ରାଷ୍ଟ୍ର ଗୁଡିକରେ ଅନେକ ଅପରାଧିକ କାର୍ଯ୍ୟକଳାପ ଦେଖିଛେ। ଆମେରିକାରେ କ୍ୟାପିଟାଲ ହିଲ୍ସ ହିଂସା ଓ ସରକାର ବିରୋଧୀ ବିଦ୍ରୋହ… ୟୁରୋପରେ ଜାତିଆଣ ମନୋଭାବ ଓ ବର୍ଣ୍ଣ ବୈଷମ୍ୟ ନୀତି କୌଣସି ଅପରାଧିକ କାର୍ଯ୍ୟକଳାପ ଠାରୁ କମ୍ ନୁହେଁ। ଆଉ ଏବେ ସୋଭିଏତ ସଂଘ ବିଭାଜିତ ହେବା ପରେ ଯେଉଁ ଆଧୁନିକ ରାଷ୍ଟ୍ର ଗଢିଛି, ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନରସଂହାର ହେଉଛି। ତାହା ମଧ୍ୟ ‘ତୃତୀୟ ବିଶ୍ୱ’ ରାଷ୍ଟ୍ରରେ ଘଟୁଥିବା ହିଂସାକାଣ୍ଡ ଠାରୁ ଆହୁରି ଜଘନ୍ୟ ଅପରାଧ। ତେଣୁ ‘ତୃତୀୟ ବିଶ୍ୱ’ ରାଷ୍ଟ୍ର ଉଦାହରଣ ଆଦୌ ଯୁକ୍ତିଯୁକ୍ତ ନୁହେଁ।