ଭୁବନେଶ୍ୱର, ୧୫/୦୩: ରବିବାର ସକାଳର ସୁନ୍ଦର ଏବଂ ସୁମଧୁର ପରିବେଶରେ ବିଭିନ୍ନ ବର୍ଗର ଲୋକମାନେ ଭୁବନେଶ୍ୱର କାନନ ବିହାର ଫେଜ୍ ୧ ପାର୍କରେ ଏକତ୍ରିତ ହୋଇ ସପ୍ତାହାନ୍ତର ସମୟକୁ ଉପଭୋଗ କରୁଥିଲେ। ସେହି ସଚେତ ଓ ଉତ୍ସାହଭରା ପରିବେଶ ମଧ୍ୟରେ ଦୁଇ ଶିଶୁ ଲେଖକ, ଭାଇ-ଭଉଣୀ ଆହନ ଓ ଆନଭି, ପାର୍କର ବାହାରେ ସ୍ୱରଚିତ ପୁସ୍ତକ ବିକ୍ରୟ ପାଇଁ ଏକ ଛୋଟ ଅସ୍ଥାୟୀ ପୁସ୍ତକ ଷ୍ଟଲ୍ ସଜାଇଥିଲେ।
ଏହି ଷ୍ଟଲ୍ ଖୁବ ଶୀଘ୍ର ଆସୁଥିବା ଲୋକଙ୍କ ଆକର୍ଷଣ କେନ୍ଦ୍ର ହୋଇଯାଇଥିଲା। ଅନେକ ଲୋକ ଏହି ଶିଶୁ ଲେଖକମାନଙ୍କ ସହ କଥା ହେବାକୁ ଅଟକି ଥିଲେ ଏବଂ ତାଙ୍କୁ ଲେଖନୀ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ଅନେକ ସାହିତ୍ୟପ୍ରେମୀ ତଥା ଶିଶୁ ପାଠକମାନେ ତାଙ୍କ ପୁସ୍ତକ କିଣିଥିଲେ | ପୁସ୍ତକ ଗୁଡିକ ୩୦% ରିହାତିରେ ମଧ୍ୟ ଦିଆଯାଉଥିଲା।
ମାତ୍ର ଦୁଇ ଘଣ୍ଟା ରେ ୩୦ରୁ ଅଧିକ ଖଣ୍ଡ ପୁସ୍ତକ ବିକ୍ରି ହୋଇଯାଇଥିଲା । ଏହି ବିକ୍ରୟରୁ ମିଳିଥିବା ରାଶିକୁ ପିଲାମାନେ ନିଜର ଆଗାମୀ ପୁସ୍ତକ ପ୍ରକାଶନ ପାଇଁ ବ୍ୟବହାର କରିବେ ବୋଲି କହିଥିଲେ ।
ଏଠାରେ ସୂଚନାଯୋଗ୍ୟ, ଆହାନ , ମାତ୍ର ୮ ବର୍ଷ ବୟସରେ ‘When You Try, You Can Fly’ ନାମକ ପୁସ୍ତକ ରଚନା କରି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ ରେ ସ୍ଥାନ ପାଇଛନ୍ତି । ତାଙ୍କର ଦ୍ଵିତୀୟ ପୁସ୍ତକ ‘Five Golden Arrows: Lesser Known Tales from the Mahabharata’ ମହାଭାରତର କମ୍ ପରିଚିତ କିନ୍ତୁ ରୋଚକ କଥାମାନଙ୍କୁ ଉଜାଗର କରେ।
ଆନଭି ୭ ବର୍ଷ ବୟସରେ ନିଜର ପୁସ୍ତକ ରଚନା କରିଛନ୍ତି | ତାଙ୍କର ପୁସ୍ତକ ‘A Novel Full of Mysteries’ ପାଠକମାନଙ୍କୁ ରହସ୍ୟ ଓ ସାହସିକତାର ଏକ ଆକର୍ଷକ ଜଗତକୁ ନେଇଯାଏ।
ଏହି ଦୁଇ ଶିଶୁ ଲେଖକ ଏବେ ତାଙ୍କର ପରବର୍ତ୍ତୀ ପୁସ୍ତକ ପ୍ରକାଶନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି।