ହ୍ୟୁମାନଙ୍କ ମୃତ୍ୟୁ: ମୁହଁ ଖୋଲିଲେ ଅନୁଭବ

‘ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି, ଦୋଷୀ ଦଣ୍ଡ ପାଇବା ଉଚିତ୍’

ଟିଟିଲାଗଡ଼, ୦୭/୧୨: ଓଲିଉଡ଼ର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଅନେକ ସପ୍ତାହ ବିତିଲାଣି। ହେଲେ, ଏବେ ବି ତାଙ୍କ ମୃତ୍ୟୁର ତଦନ୍ତ ଦାବି କରାଯାଇଛି। ଆଜି ହ୍ୟୁମାନଙ୍କ ଗାଁ ଟିଟିଲାଗଡରେ ତାଙ୍କ କବର ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ଏହି ଅବସରରେ ହ୍ୟୁମାନଙ୍କ ଘରେ ପହଞ୍ଚି ତାଙ୍କ ମା’ଙ୍କୁ ଭେଟିଛନ୍ତି ଅନୁଭବ। ତାଙ୍କ ମା’ଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡିଆ ଠାରେ ଓଡିଶା କଳାକାର ଏକତା ମଞ୍ଚ ଦ୍ୱାରା ହ୍ୟୁମାନ ସାଗରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ସେହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଓ ସଂଗୀତ ଜଗତର ବହୁ ବିଶିଷ୍ଟ‌ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନୁଭବ ମହାନ୍ତି ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ହ୍ୟୁମାନ ସାଗରଙ୍କ ମା’ଙ୍କୁ ଭେଟିବା ପରେ, ଅନୁଭବ କହିଛନ୍ତି ମୁଁ ତାଙ୍କର ବଡ଼ ପୁଅ ହେଇକି ରହିବି। ହ୍ୟୁମାନ ଚାଲିଗଲେ ମୋର ଭଏସ୍‌ ଚାଲିଗଲା। ତାଙ୍କ ବିନା ମୁଁ କିଛି ବି ଫିଲ୍ମ କରିବା ଭାବି ପାରୁନାହିଁ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ କରି ସାରିଛି। ତଦନ୍ତ କିଛି ଆଗେଇଛି। ଯେଉଁମାନେ ଦୋଷୀ ସେମାନେ ଦଣ୍ଡ ପାଇବା ଉଚିତ ବୋଲି ଅନୁଭବ କହିଛନ୍ତି।