ଆସୁଛି ବାତ୍ୟା !

ଭୁବନେଶ୍ୱର: ଆସନ୍ତା ୨୩ ତାରିଖ ବେଳକୁ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆଣ୍ଡାମାନର ପୂର୍ବ ଉପକୂଳରେ ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇବା ଆଶଙ୍କା ରହିଛି ।

ଆମେରିକାର ଟ୍ରପିକାଲ ଟିଡବିଟସ୍‌ ୱେବସାଇଟ୍‌ର ଜିଏଫ୍‌ଏସ ମଡେଲ ଏପରି ଚିତ୍ର ଆଙ୍କିଛି । ପୂର୍ବାନୁମାନ କରିଛି, ଅକ୍ଟୋବର ୨୧ ତାରିଖରେ ଆଣ୍ଡାମାନର ପୂର୍ବ ଉପକୂଳରେ ଲଘୁଚାପ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମୁଦ୍ର ଉପରେ ଏହା ପ୍ରାୟ ତିନି ଦିନ ରହିବ । ଲଘୁଚାପ ଅଧିକ ବଳ ଗୋଟାଇ ବେଶ୍‌ ଶକ୍ତିଶାଳୀ ହେବ।

୨୧ରେ ଲଘୁଚାପ ସୃଷ୍ଟି ବେଳକୁ କେନ୍ଦ୍ରସ୍ଥଳରେ ବାୟୁର ଚାପ ୧୦୦୩ ମିଲିବାର୍‌ ରହିଥିବ । ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ୯୮୭ ମିଲିବାର୍‌କୁ ଖସିଆସିବ । ବାୟୁର ଚାପ ଏଭଳି ସ୍ତରକୁ ଖସିବା ବାତ୍ୟା ଆଶଙ୍କାକୁ ଦୃଢ଼ କରୁଛି । ଲଘୁଚାପର ଗତିପଥକୁ ନେଇ ଟିଡବିଟସ୍‌ ୱେବସାଇଟ୍‌ ଯେଉଁ ଆକଳନ କରୁଛି ସେଥିରେ ଏହାର ଗତିପଥ ଉତ୍ତର ପଶ୍ଚିମ ଆଡ଼କୁ ରହୁଛି । ଆଣ୍ଡାମାନର ପୂର୍ବ ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ମାଡ଼ ହୋଇପାରେ । କିନ୍ତୁ ଗତିପଥ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡ଼ିଶାରେ ମାଡ଼ ହେବ । ଏବେ ସମୁଦ୍ର ଜଳପତ୍ତନ ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ରହୁଛି । ବାତ୍ୟା ସୃଷ୍ଟି ପାଇଁ ଏଭଳି ପାଗ ବେଶ୍‌ ଅନୁକୂଳ ହେବ ।