କିସ୍ ଛାତ୍ରଙ୍କୁ ହତ୍ୟା ଘଟଣାରେ ୮ ଜଣ ଗିରଫ
‘ଜୋକର ଗ୍ୟାଙ୍ଗ’ କରି ତଣ୍ଟି ଚିପି ହତ୍ୟା କରାଯାଇଛି
ଅପରାଧ ଲୁଚାଇବା ପାଇଁ ନାବାଳକ ଛାତ୍ରମାନଙ୍କୁ ଧମକ ଦିଆଯାଇଥିଲା
ଭୁବନେଶ୍ୱର, ୧୭/୧୨: କିସ୍ ସ୍କୁଲରେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ଏ ନେଇ ପ୍ରେସ ମିଟ୍ କରି ସେ ସୂଚନା ଦେଇଛନ୍ତି। ‘ଜୋକର ଗ୍ୟାଙ୍ଗ’ କରି କିଛି ଛାତ୍ର ତଣ୍ଟି ଚିପି ମାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି। କିସ୍ କର୍ତ୍ତୃପକ୍ଷ ହୃଦଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଛନ୍ତି। ଏନେଇ ମଧ୍ୟ ସ୍ଥାନୀୟ ପୋଲିସକୁ କିସ୍ କର୍ତ୍ତୃପକ୍ଷ ଅବଗତ କରି ନାହାନ୍ତି।”
“ଅବହେଳା ପାଇଁ କିସ୍ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ୮ ଜଣ ଗିରଫଙ୍କ ମଧ୍ୟରେ ଅତିରିକ୍ତ CEO ପ୍ରମୋଦ ପାତ୍ର, ବିନୟ କୁମାର ଗୋଚ୍ଛି- TGT, ପ୍ରଶାନ୍ତ ମଲ୍ଲ- ଏକାଡେମିକ୍ କୋର୍ଡିନେଟର, ପ୍ରଦୀପ କୁମାର ଦାସ- ଶିକ୍ଷକ, ରଶ୍ମିରଞ୍ଜନ ନାୟକ- ପ୍ରଧାନ ଶିକ୍ଷକ, ହେମନ୍ତ ମହାପାତ୍ର- ସହକାରୀ ଫିଲ୍ଡ ଅଫିସର, ଶୁଭକାନ୍ତ ବେହେରା- ସୁପରଭାଇଜର ଓ ସହକାରୀ ଶିକ୍ଷକ ସୁଜାତା ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି।
ଏମାନେ ଅପରାଧ ଲୁଚାଇବା ପାଇଁ ନାବାଳକ ଛାତ୍ରମାନଙ୍କୁ ଧମକାଇଥିଲେ। କିସ୍ କର୍ତ୍ତୃପକ୍ଷ, ଶିକ୍ଷକ ଓ କର୍ମଚାରୀ ଲୁଚାଇବା ପାଇଁ ଚାପ ପକାଇଥିଲେ ବୋଲି ବଡ଼ ତଥ୍ୟ ରଖିଛନ୍ତି ସିପି। ୩ ନାବାଳକ ଛାତ୍ର ମଧ୍ୟ ଅଟକ ଅଛନ୍ତି।
କେନ୍ଦୁଝର ଟାଉନ ଥାନାରେ ଜିରୋ ଏଫ୍ଆଇଆର୍ ହୋଇଥିଲା। ଏହା ପରେ ମାମଲା ସ୍ଥାନୀୟ ଥାନାକୁ ଆସିଲା ପରେ ତଦନ୍ତ କରାଗଲା। ବିନା ପୋଷ୍ଟମର୍ଟମରେ କିମ୍ସ କିପରି ମୃତଦେହ ଦେଲା ତଦନ୍ତ ଚାଲିଛି। କିସ୍ କର୍ତ୍ତୃପକ୍ଷଙ୍କ ବିରୋଧରେ BNS ୧୦୩ (୧), ୨୩୮, ୨୯୬, ୨୩୨, ୨୪୯(ଏ), ୩୫୧(୩)ରେ ମାମଲା ରୁଜୁ କରାଯାଇଛି। ୩ ନାବାଳକଙ୍କ ନାଁରେ BNS ୧୦୩(୧)/୩(୫)ରେ ବି ମାମଲା ରୁଜୁ କରାଯାଇଛି।