ଆତତାୟୀର ଆତଙ୍କ: ଛୁରାମାଡ କଲା, ସ୍ମୋକ୍ ବୋମା ଫିଙ୍ଗିଲା

ଏକାଧିକଙ୍କୁ ମାରିବା ପରେ ଛାତରୁ ଡେଇଁ ଆତ୍ମହତ୍ୟା କଲା ଆତତାୟୀ

ତାଇପେଇ, ୨୦/୧୨: ତାଇୱାନ ରାଜଧାନୀ ତାଇପେଇରେ ଆତତାୟୀର ଆତଙ୍କ। ମେଟ୍ରୋ ଷ୍ଟେସନ ନିକଟରେ ଛୁରାମାଡ଼ ସହ ଫିଙ୍ଗିଲା ସ୍ମୋକ୍ ବୋମା। ଆତତାୟୀର ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ, ୫ ଗୁରୁତର ଆହତ। ଆକ୍ରମଣ ପରେ ବଡ଼ କୋଠାରୁ ଡେଇଁ ଆତତାୟୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ରହିଛି।

ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ସନ୍ଦିଗ୍ଧ ବ୍ୟକ୍ତି ସ୍ମୋକ ମାସ୍କ ପିନ୍ଧି ସହରର ମେଟ୍ରୋ ଷ୍ଟେସନରେ ସ୍ମୋକ୍ ବୋମା ଫିଙ୍ଗିଥିଲା। ସ୍ମୋକ୍ ବୋମା ଯୋଗୁଁ ଜଣେ ପଥଚାରୀ ସେଥିରେ ପ୍ରଥମେ ପ୍ରଭାବିତ ହୋଇଥିଲେ।

ସନ୍ଦିଗ୍ଧ ବ୍ୟକ୍ତି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ, ଯାହାଙ୍କ ଗୁରୁତର ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ପରେ ନିଶ୍ଚିତ କରାଯାଇଥିଲା। ଆତତାୟୀ ଆତଙ୍କ ଖେଳାଇବା ପରେ ଘଟଣାସ୍ଥଳରୁ ପଳାଇ ଯାଇ ଝୋଙ୍ଗସାନ ମେଟ୍ରୋ ଷ୍ଟେସନ ପାଖରେ ଥିବା ବ୍ୟସ୍ତବହୁଳ ବ୍ୟବସାୟିକ ଅଞ୍ଚଳ ଆଡ଼କୁ ଯାଇଥିଲା। ସେଠାରେ ଅନେକ ଦେଖଣାହାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲା, ଯେଉଁଥିରେ ଛଅ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ପରେ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା। ଏହା ପରେ ଆତତାୟୀକୁ କାବୁ କଲା ବେଳେ ସେ ଏକ ଡିପାର୍ଟମେଣ୍ଟ ଷ୍ଟୋରରୁ ପଡ଼ି ମୃତ୍ୟୁବରଣ କରିଛି।