ଡାମାସ୍କସ, ୨୦/୧୨: ସିରିଆରେ ଆତଙ୍କବାଦୀ ସଂଗଠନ ISIS ବିରୋଧରେ ଆମେରିକାର ବଡ଼ ସୈନ୍ୟ ଅଭିଯାନ। ଆତଙ୍କୀ ସଂଗଠନ ISISର ୭୦ଟି ଠିକଣା ଉପରେ ଆମେରିକାର ପ୍ରହାର। ସିରିଆରେ ISIS ଦ୍ବାରା ୩ ଆମେରିକୀୟ ନାଗରିକଙ୍କ ହତ୍ୟା ପରେ ଏହି ହମ୍ଲା କରିଛି ଆମେରିକା।
ଅପରେସନ୍ ‘ହକ୍ଆଇ’ ଦ୍ବାରା ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକୀୟ ସେନା ସିରିଆରେ ଇସଲାମିକ୍ ଷ୍ଟେଟ୍ (ISIS) ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି।
ଏହି ଅଭିଯାନ ଡିସେମ୍ବର ୧୩ ରେ ପାଲମିରାରେ ହୋଇଥିବା ISIS ଆକ୍ରମଣର ପ୍ରତିଶୋଧ ସ୍ୱରୂପ ନିଆଯାଇଛି। ISIS ଆକ୍ରମଣରେ ଦୁଇଜଣ ଆମେରିକୀୟ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
ଏହା କୌଣସି ଯୁଦ୍ଧ ନୁହେଁ, ନିଜ ନାଗରିକଙ୍କ ହତ୍ୟାର ପ୍ରତିଶୋଧ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆମେ ସିରିଆରେ ISISର ଦୁର୍ଗ ଉପରେ ଜୋରଦାର ଆକ୍ରମଣ କରୁଛୁ ବୋଲି ଟ୍ରମ୍ପ କହିଛନ୍ତି।
ISIS ବିରୋଧରେ ଆମେରିକାର ଆକ୍ରମଣକୁ ସିରିଆର ସମର୍ଥନ। ଆତଙ୍କବାଦ ବିରୋଧରେ ସହଯୋଗ ଜାରି ରହିବ କହିଲା ସିରିଆ ବୈଦେଶିକ ମନ୍ତ୍ରାଳୟ। ନୂତନ ସିରିଆ ସରକାର (ଅହମଦ ଅଲ-ଶାରାଙ୍କ ନେତୃତ୍ୱରେ) ମଧ୍ୟ ଏହାକୁ ସମର୍ଥନ କରିଛି।