ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

• ଶୁଭାଂଶୁ ଶୁକ୍ଲା ଦେଶର କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ • ଶିକ୍ଷା ବ୍ୟବସ୍ଥାରେ 'ମହାକାଶ ଗବେଷଣା'କୁ ସାମିଲ କରିବା ନେଇ ଆଲୋଚନା

ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୦/୧୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତର ମହାକାଶଚାରୀ ତଥା ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ(ଆଇଏସଏସ)କୁ ଯାତ୍ରା କରିଥିବା ଶୁଭାଂଶୁ ଶୁକ୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତକାର କାଳରେ ଶ୍ରୀ ପ୍ରଧାନ ଶୁକ୍ଲାଙ୍କ ସାହସ ଓ ଦୁଃସାହସିକ ଯାତ୍ରାକୁ ପ୍ରଶଂସା କରିବା ସହ ତାଙ୍କୁ ଦେଶର କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଛନ୍ତି । ଏହି ଅବସରରେ ମହାକାଶ ବିଜ୍ଞାନ ଓ ଗବେଷଣାକୁ କିଭଳି ଭାବେ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ସ୍ତରରେ ସାମିଲ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଏହି ସଂସ୍କାରକୁ ଆଗକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଗାମୀ ପିଢ଼ିକୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କୁ ଭବିଷ୍ୟତର ଦକ୍ଷ ‘ସ୍ପେସ୍ ପ୍ରଫେସନାଲ୍’ ଭାବେ ଗଢ଼ିତୋଳିବା ଆମର ପ୍ରାଥମିକତା । ଏହି ସାକ୍ଷାତକାର ଶିକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।