ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ପରଲୋକ

ଦୀର୍ଘ ଦିନରୁ ଅସୁସ୍ଥ ଥିଲେ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଆଗାମୀ ନିର୍ବାଚନରେ ଲଢିଥାନ୍ତେ

ଢାକା, ୩୦/୧୨: ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ମଙ୍ଗଳବାର ଦିନ ମୃତ୍ୟୁବରଣ କରିଛନ୍ତି ବୋଲି ତାଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ଡାକ୍ତରଙ୍କ ସୂଚନାନୁଯାୟୀ, ସେ ବାର୍ଦ୍ଧକ୍ୟ ଜନିତ ଅନେକ ରୋଗରେ ପୀଡିତ ଥିଲେ, ଯେଉଁଥିରେ ଲିଭର ସିରୋସିସ୍, ଆର୍ଥ୍ରାଇଟିସ୍, ମଧୁମେହ ଏବଂ ତାଙ୍କ ଯକୃତ, ବୃକକ ଏବଂ ହୃତପିଣ୍ଡରଜ ସଂକ୍ରମଣ ଥିଲା।

ଜିଆ ନଭେମ୍ବର ୨୩ ତାରିଖରୁ ଢାକାର ଏଭରକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏବଂ ଡିସେମ୍ବର ୧୧ ତାରିଖରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ମାତ୍ର ଦୁଇ ଦିନ ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଡାକ୍ତର ନିଶ୍ଚିତ କରିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା “ଅତ୍ୟନ୍ତ ସଙ୍କଟାପନ୍ନ” ଅଛି।

ସୋମବାର ବିଳମ୍ବିତ ରାତିରୁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଲଣ୍ଡନ ପଠାଇବା ପାଇଁ କତାରରୁ ଏକ ସ୍ୱତନ୍ତ୍ର ବିମାନ ପ୍ରସ୍ତୁତ ରଖାଯାଇଥିଲା, କିନ୍ତୁ ଏକ ମେଡିକାଲ ବୋର୍ଡ ତାଙ୍କୁ ଏଭରକେୟାର ହସ୍ପିଟାଲରୁ ଢାକା ବିମାନବନ୍ଦରକୁ ସ୍ଥାନାନ୍ତର ପାଇଁ ଅନୁମତି ଦେଇ ନଥିଲା,” ପୋଷ୍ଟରେ ଲେଖାଯାଇଛି।

ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସୋମବାର ଜିଆଙ୍କ ପକ୍ଷରୁ ବୋଗୁରା-୭ ନିର୍ବାଚନମଣ୍ଡଳୀରେ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ୧୭ ବର୍ଷ ନିର୍ବାସନ ପରେ ଗତ ସପ୍ତାହରେ ଢାକା ଫେରିଥିବା ତାଙ୍କ ପୁଅ ତାରିକ ରହମାନ ଦୁଇଟି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ – ଢାକା-୧୭ ଏବଂ ବୋଗ୍ରା-୬। ରବିବାର ରହମାନ ଏଭରକେୟାର ହସ୍ପିଟାଲରେ ତାଙ୍କ ଅସୁସ୍ଥ ମାଆଙ୍କୁ ଭେଟି ତାଙ୍କ ସହିତ ଦୁଇ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ।

ଖାଲିଦା ଜିଆ ଦୁଇଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ – ୧୯୯୧ ରୁ ୧୯୯୬ ଏବଂ ପୁଣି ୨୦୦୧ ରୁ ୨୦୦୬। ସେ କେବଳ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନଥିଲେ ବରଂ ପାକିସ୍ତାନର ବେନଜୀର ଭୁଟ୍ଟୋଙ୍କ ପରେ ଦ୍ୱିତୀୟ ମହିଳା ଥିଲେ ଯିଏ ଏକ ମୁସଲିମ ଦେଶରେ ଗଣତାନ୍ତ୍ରିକ ସରକାରର ନେତୃତ୍ୱ ନେଇଥିଲେ।

ଖାଲିଦା ଜିଆ ଦେଶର ଷଷ୍ଠ ରାଷ୍ଟ୍ରପତି ଏବଂ ୧୯୭୧ ମୁକ୍ତି ଯୁଦ୍ଧର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଜିଆଉର ରହମାନଙ୍କୁ ବିବାହ କରିଥିଲେ। ରହମାନ ୧୯୭୭ ମସିହାରେ ବିଏନପି ଗଠନ କରିଥିଲେ। ୧୯୮୧ରେ ତାଙ୍କ ମୃତ୍ୟୁ ପରେ ୧୯୮୪ ମସିହାରେ, ଖାଲିଦା ବିଏନପି ଅଧ୍ୟକ୍ଷା ହୋଇଥିଲେ ଏବଂ ତାଙ୍କ ନେତୃତ୍ୱରେ, ଦଳ ୧୯୮୨ ମସିହାରେ କ୍ଷମତାକୁ ଆସିଥିଲା। ୧୯୯୦ ମସିହାରେ ଖାଲିଦା ନିର୍ବାଚିତ ହୋଇ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ।

ସେ ୧୯୯୬ ମସିହାରେ ପୁନର୍ବାର କ୍ଷମତାକୁ ଫେରିଥିଲେ କିନ୍ତୁ ବ୍ୟାପକ ଧର୍ମଘଟ ଏବଂ ପ୍ରତିବାଦ ମଧ୍ୟରେ ଗୋଟିଏ ମାସ ମଧ୍ୟରେ ଇସ୍ତଫା ଦେଇଥିଲେ। ୨୦୦୧ ମସିହାରେ ଖାଲିଦା ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୬ ମସିହାରେ ପଦ ଛାଡି ଦେଇଥିଲେ। ଏହା ପରବର୍ଷ, ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା।