ଘାଟି ତଳକୁ ଖସିଲା ବସ୍

୭ ମୃତ, ଏକାଧିକ ଆହତ

ଉତ୍ତରାଖଣ୍ଡ, ୩୦/୧୨: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଲମୋରାର ଭିକିୟାସେନରେ ଏକ ବସ୍ ଘାଟିକୁ ଖସିପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଆହତ ହୋଇଛନ୍ତି।

କୁମାଓଁ ମଣ୍ଡଳ ବିକାଶ ନିଗମ (କେଏମଭିଏନ)ର ବସ୍ ଟି ରାମନଗର ଯାଉଥିବା ବେଳେ ଭିକିୟାସେନ ନିକଟରେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣା ଖବର ପାଇବା ପରେ SDRF ର ଉଦ୍ଧାର ଦଳ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଭିକିୟାସେନର ସରକାରୀ ଡାକ୍ତରଖାନାକୁ ପଠାଯାଇଛି।

ବରିଷ୍ଠ ପୋଲିସ ଅଧିକ୍ଷକ (ଏସଏସପି) ଦେବେନ୍ଦ୍ର ପିଞ୍ଚା କହିଛନ୍ତି, “କେଏମଭିଏନ ମିନି ବସ୍‌ଟି ନିୟନ୍ତ୍ରଣ ହରାଇ ଘାଟିରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୮ ଜଣ ଯାତ୍ରା କରୁଥିଲେ। ମୃତଦେହ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।”