ଏମ୍ସରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳତାର ସହିତ ସମ୍ପନ୍ନ
ଅତ୍ୟାଧୁନିକ ଆଇସିୟୁ ସହିତ ସମସ୍ତ ବ୍ୟବସ୍ଥାରେ ପରିପୂର୍ଣ୍ଣ
ଭାତୃତ୍ବ ପ୍ରେମର ଅପୂର୍ବ ନିଦର୍ଶନ, ବଡ଼ ଭାଇଙ୍କୁ ଜୀବନ ଦେଲେ ସାନ ଭାଇ
ଭୁବନେଶ୍ୱର, ୩୧/୧୨: ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି ଏମ୍ସ ଭୁବନେଶ୍ବର। ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ ସମ୍ପନ୍ନ କରିଛି। ଏହି ଜୀବନ ରକ୍ଷାକାରୀ ଚିକିତ୍ସା ସେବା ପ୍ରଦାନ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ। ଚଳିତ ମାସ ୨୦ ତାରିଖରେ ଏମ୍ସ ଭୁବନେଶ୍ୱର ପ୍ରଥମ ଲିଭର ପ୍ରତିରୋପଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ୨୦୨୩ରେ ଆରମ୍ଭ ହୋଇଥିବା ଲିଭର ପ୍ରତିରୋପଣ କାର୍ଯ୍ୟକ୍ରମର ପରିକଳ୍ପନା, ସେହି ବର୍ଷ ହିଁ ସରକାରୀ ଲାଇସେନ୍ସ ପାଇଥିଲା, ପ୍ରକ୍ରିୟା ଆରମ୍ଭ କରିବାକୁ। ଯକୃତ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ବର୍ଷ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଯକୃତ ପ୍ରତିରୋପଣ ଓପିଡି। ପ୍ରତିରୋପଣ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ, ୧୦ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ପ୍ରତିରୋପଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ନଭେମ୍ବର ୨୦୨୫ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।
ଏପରି ସଫଳତା ନିମନ୍ତେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମଗ୍ର ପ୍ରତିରୋପଣ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍ସ ଭୁବନେଶ୍ବର ଏହିଭଳି ଭାବେ ଓଡ଼ିଶା ଏବଂ ଦେଶର ଜନସାଧାରଣଙ୍କୁ ନୂତନ ଅଭିନବ ପ୍ରକ୍ରିୟା ଏବଂ ସେବା ପ୍ରଦାନ କରିବାର ପ୍ରତିବଦ୍ଧତା ରଖିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।
ଆଜିର ଏହି ପ୍ରତିରୋପଣ ପ୍ରକ୍ରିୟା, ଭାତୃତ୍ବଭାବର ଅପୂର୍ବ ପ୍ରେମକୁ ପୁନର୍ବାର ପ୍ରମାଣିତ କରିଛି। ସାନ ଭାଇର ଯକୃତ ଗ୍ରହଣ କରି ବଡ଼ ଭାଇ ଏକ ନୂତନ ଜୀବନ ପାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଅଞ୍ଚଳର ୩୭ ବର୍ଷୀୟ ଯୁବକ, ନିଜର ଅସୁସ୍ଥ ଯକୃତ କାରଣରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକପ୍ରକାର ଅସହାୟ ହୋଇପଡ଼ିଥିଲେ। ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାଯାଇନଥିଲା। ଉନ୍ନତ ଚିକିତ୍ସା ପାଇଁ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ତଥ୍ୟ ରଖିଥିଲେ ବିଭିନ୍ନ ହସ୍ପିଟାଲ। ମାତ୍ର ଏମ୍ସରେ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସୁଲଭ ମୂଲ୍ୟରେ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗରେ ସେ ଆଜି ସୁସ୍ଥ ହୋଇପାରିଥିବା ଭାବବିହ୍ବଳ ହୋଇ ପ୍ରକାଶ କରିଛନ୍ତି ତାଙ୍କ ପିତା। ୩୦ ବର୍ଷୀୟ ସାନ ଭାଇ ବଡ଼ ଭାଇଙ୍କୁ ନିଜର ଯକୃତ ପ୍ରଦାନ କରିଛନ୍ତି।
ପ୍ରତିରୋପଣ ପରେ ଉଭୟ ଭାଇ ସୁସ୍ଥ ଅଛନ୍ତି। ସାନ ଭାଇ ହସ୍ପିଟାଲରୁ ଡିସ୍ଚାର୍ଯ ହୋଇଥିବା ବେଳେ ଆଉ କିଛିଦିନ ମଧ୍ୟରେ ବଡ଼ ଭାଇ ମଧ୍ୟ ଘରକୁ ଯିବାନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ୫୦ ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଏହି ଅସ୍ତ୍ରୋପଚାର ଦଳ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରାୟ ୧୪ ଘଣ୍ଟା ସମୟ ନେଇଥିଲା। ଉତ୍କର୍ଷତା ଏବଂ ସ୍ଥାୟୀ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ, ଏମ୍ସ ଭୁବନେଶ୍ୱର ଲିଭର ଏବଂ ପିତ୍ତ ରୋଗ ପାଇଁ ଦେଶର ପ୍ରମୁଖ ସରକାରୀ କ୍ଷେତ୍ର ପ୍ରତିଷ୍ଠାନ, ନୂଆଦିଲ୍ଲୀର ଆଇଏଲ୍ବିଏସ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି।
ଏମ୍ସ ଭୁବନେଶ୍ବର ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗ ମୁଖ୍ୟ ଡ. ବ୍ରହ୍ମଦତ୍ତ ପଟ୍ଟନାୟକ, ଡ. ତନ୍ମୟ ଦତ୍ତ ଏବଂ ଡ. ସୁନୀତା ଗୁପ୍ତାଙ୍କ ନେତୃତ୍ୱରେ, ନୂଆଦିଲ୍ଲୀର ଆଇଏଲ୍ବିଏସ, ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର ମୁଖ୍ୟ ପ୍ରଫେସର (ଡ.) ବିନୟେନ୍ଦ୍ର ପାମେଚା ଏବଂ ତାଙ୍କ ବିଶେଷଜ୍ଞ ଦଳର ମାର୍ଗଦର୍ଶନରେ ଏହି ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ଏମ୍ସ ଭୁବନେଶ୍ବର ପେଡିଆଟ୍ରିକ୍ସ ସର୍ଜରୀ ବିଭାଗର ଡ. ସୁବ୍ରତ କୁମାର ସାହୁ, (ତାଲିମପ୍ରାପ୍ତ ଶିଶୁ ଯକୃତ ପ୍ରତିରୋପଣ ସର୍ଜନ) ମଧ୍ୟ ଶଲ୍ୟଚିକିତ୍ସା ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ।
ଏହି କାର୍ଯ୍ୟକ୍ରମକୁ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଶିଶୁ ଚିକିତ୍ସା ବିଭାଗ ମୁଖ୍ୟ ତଥା ଓଟି କମିଟି ଅଧ୍ୟକ୍ଷ ଡ. ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଆନୁଷ୍ଠାନିକ ସମର୍ଥନ ମିଳିଥିଲା। ଆନାସ୍ଥେସିଓଲୋଜି ଏବଂ କ୍ରିଟିକାଲ୍ କେୟାର ମୁଖ୍ୟ ଡ. ସତ୍ୟଜିତ ମିଶ୍ର, ଡ. ଶ୍ରୀତମ ସ୍ୱରୂପ ଜେନା ଏବଂ ଡ. ପ୍ରସନ୍ନ କୁମାର ଦାସ ପ୍ରମୁଖ ନିଶ୍ଚେତକ ସହାୟତା ପ୍ରଦାନ କରିଥିଲେ। ଡ. ତାରା ପ୍ରସାଦ ତ୍ରିପାଠୀ ଏବଂ ଡ. ରଞ୍ଜନ କୁମାର ପଟେଲଙ୍କ ଦ୍ୱାରା ରେଡିଓଲୋଜିକାଲ୍ ସହାୟତା ସୁନିଶ୍ଚିତ କରାଯାଇଥିଲା।
ଏମ୍ସ ଭୁବନେଶ୍ବର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ମାନସ କୁମାର ପାଣିଗ୍ରାହୀ ଏବଂ ଡ. ହେମନ୍ତ କୁମାର ନାୟକ ଏହି ପ୍ରକ୍ରିୟାରେ ଏକ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ଡ. ସୋମନାଥ ମୁଖାର୍ଜୀ, ଡ. ଅଂଶୁମାନ ସାହୁ ଏବଂ ଟିମ୍ ପକ୍ଷରୁ ରକ୍ତଭଣ୍ଡାର ସେବା ଯୋଗାଇ ଦିଆଯାଇଥିଲା। ନର୍ସିଂ ଅଧୀକ୍ଷକ ଡ. ଭି. ମହାଲିଙ୍ଗମଙ୍କ ନେତୃତ୍ୱରେ ନର୍ସିଂ ଏବଂ କ୍ରିଟିକାଲ୍ କେୟାର ନର୍ସିଂ ବୃତ୍ତିଗତଙ୍କ ଏକ ପ୍ରତିବଦ୍ଧ ଦଳ ଦ୍ୱାରା ସାମଗ୍ରୀକ ନର୍ସିଂ ସେବା ପ୍ରତିରୋପଣର ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଦୀପକ ନାରାୟଣଙ୍କ ଦ୍ୱାରା ଅଙ୍ଗ ପ୍ରତିରୋପଣ ରୋଗୀ ପରାମର୍ଶ ପ୍ରକ୍ରିୟା ସମନ୍ୱିତ କରାଯାଇଛି। ପ୍ରକାଶ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥିଲା।
ଏମ୍ସ ଭୁବନେଶ୍ୱରରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମଧ୍ୟ ଯକୃତ ପ୍ରତିରୋପଣ ରୋଗୀଙ୍କ ତାଲିକା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପ୍ରତି ମଙ୍ଗଳବାର ଦିନ ଅଢ଼େଇଟାରୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଓପିଡି ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଦୁଇ ଶହରୁ ଅଧିକ ରୋଗୀ ଏହି ଓପିଡିରୁ ସେବା ପାଇସାରିଛନ୍ତି।