ସିଜେପି ଆନ୍ଦୋଳନ: ୧୦୦୦ରୁ ଅଧିକ ଅଟକ

ୟୁଟ୍ୟୁବର ଧ୍ରୁବ ରାଠୀ ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ

ନୂଆଦିଲ୍ଲୀ, ୧୦/୧୦: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଆନ୍ଦୋଳନକୁ ନେଇ ଶନିବାର ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକା ସଂଶୋଧନକୁ ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଆନ୍ଦୋଳନ ପୂର୍ବରୁ ଲୋକପ୍ରିୟ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମସ୍ଥିତ ତାଙ୍କ ଘରୁ ପୁଲିସ ଅଟକ ରଖିଥିବା ଖବର ଆସିଛି। ସେହିପରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। ଆନ୍ଦୋଳନରେ ଯୋଗ ଦେବାକୁ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ବେଳେ ବିମାନବନ୍ଦରରେ ତାଙ୍କୁ ଅଟକ ରଖିଛି ପୋଲିସ। ଆନ୍ଦୋଳନ ପୂର୍ବରୁ ବହୁ ସଂଖ୍ୟାରେ ଲୋକଙ୍କୁ ଅଟକ ରଖାଯାଇଥିବା ଖବର ଆସିଛି। ଗତ କାଲିଠାରୁ ଆଜି ଯାଏଁ ୧୦୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀର ଏକାଧିକ ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ କରାଯାଇଛି। କେତେକ ଟ୍ରେନ୍‌ ଚଳାଚଳ ମଧ୍ୟ ବାତିଲ ମଧ୍ୟ ହୋଇଛି। ରାଜଧାନୀର ବିଭିନ୍ନ ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ବ୍ୟାରିକେଡ୍‌ ଲଗାଯାଇଛି। ଏହାଦ୍ୱାରା ସାଧାରଣ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ରେଳ ଷ୍ଟେସନ, ବସ୍‌ ଟର୍ମିନାଲ ଓ ବିମାନବନ୍ଦର ଅଭିମୁଖେ ଯାଉଥିବା ଯାତ୍ରୀଙ୍କୁ ଅଧିକ ସମୟ ହାତରେ ରଖି ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

ଆନ୍ଦୋଳନରେ ସାମିଲ ହେବାକୁ ଯୋଜନା କରିଥିବା ଧ୍ରୁବ ରାଠୀଙ୍କୁ ଶନିବାର ସକାଳେ ହରିୟାଣାର ଗୁରୁଗ୍ରାମସ୍ଥିତ ସେକ୍ଟର-୫୬ ଅଞ୍ଚଳରୁ ପୁଲିସ ଅଟକ ରଖିଥିବା ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପୁଲିସ ତାଙ୍କୁ ଆନ୍ଦୋଳନରେ ଯୋଗ ନଦେବାକୁ ବୁଝାଇଥିଲା। ଦିଲ୍ଲୀରେ ପ୍ରସ୍ତାବିତ ଆନ୍ଦୋଳନ ପାଇଁ ଅନୁମତି ନଥିବା ଏବଂ ନିଷେଧାଦେଶ ଲାଗୁ ହୋଇଥିବା କାରଣ ଦର୍ଶାଇ ତାଙ୍କୁ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି।

ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ଦୋଳନ ପୂର୍ବରୁ କହିଥିଲେ ଯେ, ତାଙ୍କୁ ଅଟକ କରାଗଲେ ମଧ୍ୟ ଆନ୍ଦୋଳନ ବନ୍ଦ ହେବ ନାହିଁ।

ରାଜଧାନୀର ବିଭିନ୍ନ ପ୍ରବେଶ ପଥରେ ଯାଞ୍ଚ ଚାଲିଥିବା ବେଳେ ଡ୍ରୋନ୍‌ ଓ ଅତିରିକ୍ତ ସୁରକ୍ଷାବଳ ମୁତୟନ କରାଯାଇଛି। ଆନ୍ଦୋଳନ ସ୍ଥଳ ଜନ୍ତରମନ୍ତର ଚାରିପଟେ ମଧ୍ୟ ବ୍ୟାରିକେଡ୍‌ ଲଗାଯାଇଛି।