ଭୁବନେଶ୍ୱର, ୧୦/୧୦: ୯ କୋଟି ୨୪ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲାରେ ଆଉ ୩ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜାଲ୍ ବିଲ୍ ପାସ୍ କରିବା ଏବଂ ଏହା ବଦଳରେ ଟଙ୍କା କାରବାର କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ R&B ଡିଭିଜନ୍ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର R&B ଡିଭିଜନ୍-୧ର ପିଅନ କୁମୁଦ ସାହୁ।
ଏହି ମାମଲାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ। ଏବେ ମୋଟ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ବନଲତା ମହାନ୍ତି ଏବଂ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ ଥିଲେ।
ଭିଜିଲାନ୍ସର ତଦନ୍ତରେ ଅଭିଯୋଗ ହୋଇଛି ଯେ, ଜାଲ୍ ବିଲ୍ ପାସ୍ କରାଇବା ପାଇଁ ବିଭୁଦତ୍ତ ନାୟକ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଫୋନ୍ପେ ମାଧ୍ୟମରେ ୧୧ ଥରରେ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କା ପଠାଇଥିଲେ। ଏହି ଅର୍ଥ କାରବାର ୨୦୨୫ ମାର୍ଚ୍ଚରୁ ୨୦୨୬ ଜୁଲାଇ ମଧ୍ୟରେ ହୋଇଥିଲା।
ସେହିପରି, ବିଶ୍ୱନାଥ ଦାସଙ୍କ ଖାତାକୁ ପ୍ରାୟ ୫୦ ଲକ୍ଷ ଟଙ୍କା, ସମ୍ପର୍କୀୟଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଏବଂ ନିଜ ଖାତାକୁ ପ୍ରାୟ ୩୭ ଲକ୍ଷ ଟଙ୍କା ଜମା ହୋଇଥିଲା। ଅନ୍ୟପଟେ, କୁମୁଦ ସାହୁଙ୍କ ପତ୍ନୀଙ୍କ ବ୍ୟାଙ୍କ ଖାତାକୁ ଗ୍ରାଚ୍ୟୁଇଟି ବାବଦରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଜମା ହୋଇଥିଲା। ପରେ ଏହି ଟଙ୍କାକୁ ଅନ୍ୟ ଖାତାକୁ ସ୍ଥାନାନ୍ତର କରାଯାଇ ନଗଦ ଉଠାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି।