ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା
ଭୁବନେଶ୍ୱର, ୦୯/୧୦: ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ପାଇଁ ଆୟୋଜିତ ଏକଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମର ଦ୍ୱିତୀୟ ବୈଷୟିକ ଅଧିବେଶନରେ “ସୋସିଆଲ ମିଡିଆ ଟ୍ରେଣ୍ଡ: ସରକାରୀ ସୂଚନା ଅଧିକାରୀଙ୍କ ପାଇଁ ସୁଯୋଗ ଏବଂ ଆହ୍ୱାନ” ଶୀର୍ଷକ ବିଷୟବସ୍ତୁ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଢେଙ୍କାନାଳସ୍ଥିତ ଭାରତୀୟ ସଂଚାର ସଂସ୍ଥାନ (IIMC)ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡିଜିଟାଲ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଯୁଗରେ ଜନସଂଚାରର ବଦଳୁଥିବା ସ୍ୱରୂପ ସମ୍ପର୍କରେ ଆଲୋଚନା କରିଥିଲେ।
ପାରମ୍ପରିକ ଗଣମାଧ୍ୟମରୁ ଡିଜିଟାଲ୍ ପ୍ଲାଟଫର୍ମ ଓ AI ଆଡ଼କୁ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରି ପ୍ରଫେସର ପ୍ରଧାନ କହିଥିଲେ ଯେ, ସରକାରୀ ସୂଚନା ଅଧିକାରୀମାନେ ବଦଳୁଥିବା ପ୍ରଯୁକ୍ତିବିଦ୍ୟା ଏବଂ ନାଗରିକଙ୍କ ଆଚରଣଗତ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇ ଚାଲିବା ଜରୁରୀ। ସେ ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ ରୁ ମେସିନ୍ ଡିସକଭରୀ ଅପ୍ଟିମାଇଜେସନ୍ ଆଡ଼କୁ ହେଉଥିବା ବୈଷୟିକ ପରିବର୍ତ୍ତନ ବିଷୟରେ ବୁଝାଇବା ସହ AI-ଆଧାରିତ ସୂଚନା ପରିବେଶରେ ସରକାରୀ ତଥ୍ୟକୁ ସହଜରେ ଉପଲବ୍ଧ କରାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ବିଭିନ୍ନ ବର୍ଗର ଶ୍ରୋତାଙ୍କ ଆବଶ୍ୟକତା ଅନୁସାରେ ତଥ୍ୟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଜିର ‘ଆଟେନ୍ସନ୍ ଇକୋନୋମି’ ବିଷୟରେ ସେ କହିଥିଲେ ଯେ, ଡିଜିଟାଲ୍ ସୂଚନାର ଅପ୍ରତ୍ୟାଶିତ ବୃଦ୍ଧି ଓ ଦ୍ରୁତତା ମଧ୍ୟରେ ନାଗରିକଙ୍କ ପାଖରେ ସଠିକ୍ ଓ ବିଶ୍ୱସନୀୟ ସୂଚନା ପହଞ୍ଚାଇବା ଏକ ବଡ଼ ଆହ୍ୱାନ।
ଏହି ଅଧିବେଶନରେ ଗୁଜବ, ଭ୍ରାନ୍ତ ସୂଚନା ଏବଂ ଡିପଫେକ୍ରୁ ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୂଚନା ପ୍ରସାରଣ ପୂର୍ବରୁ ସଠିକତା ଯାଞ୍ଚ କରିବା, ଭ୍ରମାତ୍ମକ ତଥ୍ୟର ତୁରନ୍ତ ଖଣ୍ଡନ କରିବା ଏବଂ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱବାନ୍ ବ୍ୟବହାର କରି ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବାକୁ ପ୍ରଫେସର ପ୍ରଧାନ ଆହ୍ୱାନ ଦେଇଥିଲେ।
ସେ ବ୍ରୋଡକାଷ୍ଟରୁ ନାରୋକାଷ୍ଟ ଯୋଗାଯୋଗ ଏବଂ ଭିଡିଓ-ଆଧାରିତ କାହାଣୀ କହିବା ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସୋସିଆଲ ମିଡିଆ କେବଳ ସୂଚନା ପ୍ରଚାର ମାଧ୍ୟମ ନହୋଇ, ନାଗରିକଙ୍କ ସହ ଗଭୀର ସମ୍ପର୍କ ଯୋଡ଼ିବା ଓ ଗୋଷ୍ଠୀ ନିର୍ମାଣର ମାଧ୍ୟମ ହେବା ଉଚିତ୍।
ଏହି ଅଧିବେଶନ ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଧିକାରୀମାନେ ବାସ୍ତବ ଜୀବନର ବିଭିନ୍ନ ପରିସ୍ଥିତି ଏବଂ ଆଲଗୋରିଦମ-ଆଧାରିତ ମିଡିଆ ପରିବେଶରେ ସୂଚନାର ସଠିକତା, ଦୃଶ୍ୟମାନତା ଓ ବିଶ୍ୱସନୀୟତା ବଜାୟ ରଖିବା ବିଷୟରେ ଆଲୋଚନା କରିଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ପ୍ରଫେସର ଆନନ୍ଦ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଲୋକସଂପର୍କ ଅଧିକାରୀ ଶ୍ରୀ ଅଂଶୁମାନ ସାହୁ ଏବଂ କୁମାରୀ କୃଷ୍ଣାକେଶୀ ବଳିଆରସିଂହ ଏହି ଅଧିବେଶନକୁ ସଞ୍ଚାଳନା କରିଥିଲେ।
ଏହି ଅଧିବେଶନ ସରକାରୀ ସଂଚାର କୌଶଳକୁ ଆଧୁନିକ ଡିଜିଟାଲ୍ ଟ୍ରେଣ୍ଡ ସହ ଯୋଡ଼ିବା ସହ ସଠିକତା, ଉତ୍ତରଦାୟିତ୍ୱ ଏବଂ ଜନବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏକ ଦିଗଦର୍ଶନ ଦେଇଥିଲା।