ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ; ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଗୋପବନ୍ଧୁ ଥିଲେ ଜାତୀୟ ଚେତନା ଓ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ଗୋପବନ୍ଧୁଙ୍କ ଆଦର୍ଶ ଆମ ଯୁବସମାଜ ପାଇଁ ମୁଖ୍ୟ ପ୍ରେରଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣରେ ଆମର ଯୁବ ସମାଜ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଜି ଜୟଦେବ ଭବନଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ଅବସରରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ,ତାଙ୍କର ତ୍ୟାଗ, ସେବା, ଦେଶପ୍ରେମ ଓ ସାରସ୍ୱତ ସାଧନାର ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋପବନ୍ଧୁ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ମହାନ୍‌ ଅନୁଷ୍ଠାନ, ଜାତୀୟ ଚେତନା ଓ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ।

ଆଜିର ଯୁବପିଢ଼ି ଗୋପବନ୍ଧୁଙ୍କ ସେବା ମନୋଭାବକୁ ଆପଣାଇ ରାଷ୍ଟ୍ରଗଠନରେ ସକ୍ରିୟ ଯୋଗଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଯୁବପିଢୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ, ଆପଣମାନେ କେବଳ ନିଜ ବ୍ୟକ୍ତିଗତ ସଫଳତା ପାଇଁ ନୁହେଁ, ବରଂ ସମାଜ ପ୍ରତି ଆପଣଙ୍କର ଦାୟିତ୍ୱକୁ ବୁଝନ୍ତୁ। କେବଳ ନିଜ ପାଇଁ ବଞ୍ଚିବା ପ୍ରକୃତ ଜୀବନ ନୁହେଁ, ବରଂ ପଣ୍ଡିତ ଗୋପବନ୍ଧୁଙ୍କ ପରି ଅନ୍ୟର ମୁହଁରେ ହସ ଫୁଟାଇବାରେ ଏବଂ ରାଜ୍ୟର ସେବାରେ ନିଜକୁ ନିୟୋଜିତ କରିବାରେ ହିଁ ଜୀବନର ସାର୍ଥକତା ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ନିରନ୍ତର ପ୍ରେରଣାର ଉତ୍ସ । ସମାଜର ଦରିଦ୍ର, ଅବହେଳିତ ଲୋକଙ୍କର ସେବା କରିବା ଏବଂ ଅପହଞ୍ଚ ଇଲାକାରେ ସମାଜରେ ଶେଷ ଧାଡ଼ିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ଥିଲା ଗୋପବନ୍ଧୁଙ୍କ ଆଦର୍ଶ । ଗୋପବନ୍ଧୁଙ୍କ ସେହି ଆଦର୍ଶକୁ ଅନୁସରଣ କରି ଆମ ସରକାର ସମାଜର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ସେ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆମ ସରକାର କେଜି ରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’, ‘ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ବିନା ମୂଲ୍ୟରେ ଅତିରିକ୍ତ ୫ କେଜି ଚାଉଳ ପ୍ରଦାନ ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମଧୁବାବୁ ପେନସନ୍ ଯୋଜନାରେ ମଧ୍ୟ ସାଚୁରେସନ୍ ଆଣି ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ୍ ଦେବା ପାଇଁ ପଦକ୍ଷେପ ନିଆଯାଉଛି ।

ଗୋପବନ୍ଧୁଙ୍କ ପ୍ରେରଣାରେ ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ପାଇଁ ‘ଓଡ଼ିଆ ଅସ୍ମିତା ଭବନ’ ପ୍ରତିଷ୍ଠା, ସତ୍ୟବାଦୀସ୍ଥିତ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ର ଉନ୍ନତିକରଣ, ୯୦ କୋଟି ଟଙ୍କା ବ୍ୟୟରେ ବକୁଳ ବନର ପୁନର୍ବିକାଶ ଏବଂ ଗୋପବନ୍ଧୁଙ୍କ ଜନ୍ମମାଟି ସତ୍ୟବାଦୀ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଆଜିର ଯୁବପିଢ଼ିକୁ ଉତ୍କଳମଣି ଗୋପବନ୍ଧୁଙ୍କ ପଥକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ଗୋପବନ୍ଧୁଙ୍କ ଚିନ୍ତାଧାରା ଓ ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ।

ଏହି ଅବସରରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର କହିଥିଲେ ଯେ, ଆଜିର ଆଧୁନିକ ସମୟରେ ମଧ୍ୟ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଚିନ୍ତାଧାରା ଓ ଆଦର୍ଶ ପ୍ରାସଙ୍ଗିକ ଅଟେ ।

ଏହି ଅବସରରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର କହିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ପୁଣ୍ୟଭୂମିରେ ଜନ୍ମଗ୍ରହଣ କରିବା ମୋ ପାଇଁ କେବଳ ଗର୍ବର ବିଷୟ ନୁହେଁ, ବରଂ ଏହା ମୋର ବି ଅହଙ୍କାର। ଜନ୍ମ ନୁହେଁ, ବରଂ ମଣିଷର କର୍ମ ଓ ମୃତ୍ୟୁ ହିଁ ତା’ର ପରିଚୟ ସୃଷ୍ଟି କରିଥାଏ।

ଏହି ଅବସରରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଗୋପବନ୍ଧୁଙ୍କ ନିଷ୍କାମ ସେବା ମନୋଭାବକୁ ମନେ ପକାଇ କହିଛନ୍ତି ଯେ, ସମାଜର ଗରୀବ, ଅସହାୟ ଓ ନିଷ୍ପେସିତ ଲୋକଙ୍କ ସେବାରେ ଗୋପବନ୍ଧୁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିଲେ।

ଏହି ଅବସରରେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି ଯେ, ପୁଣ୍ୟାତ୍ମା ଗୋପବନ୍ଧୁ ଦାସ କେବଳ ପୁରୀ ଜିଲ୍ଲାର ନୁହନ୍ତି, ବରଂ ସମଗ୍ର ମାନବ ସମାଜ ଓ ଓଡ଼ିଶାର ଗର୍ବ।

ଏହି ଅବସରରେ ବହୁ ଅତିଥି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।