ଉତ୍କଳମଣିଙ୍କ ଆଦର୍ଶ ଓଡ଼ିଆ ଜାତିର ଚିରନ୍ତନ ପ୍ରେରଣା: ଶ୍ରୀ ଗୋଲକ ମହାପାତ୍ର
ତ୍ୟାଗ, ସେବା ଓ ମାନବିକତାର ମହାନ ପ୍ରତୀକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୦୯/୧୦: ଓଡ଼ିଆ ଜାତିର ସ୍ୱାଭିମାନ, ତ୍ୟାଗ ଓ ମାନବିକତାର ଅନନ୍ୟ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଛକଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର।
ଏହି ଅବସରରେ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି, “ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଏପରି ଜଣେ ମହାନ ଜନନାୟକ, ଯିଏ ନିଜ ଜୀବନକୁ ନିଜ ପାଇଁ ନୁହେଁ, ବରଂ ମାଟି, ମାତୃଭାଷା ଓ ମଣିଷର ସେବା ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ପାଇଁ ମାନବ ସେବା ହିଁ ଥିଲା ଜୀବନର ସର୍ବୋଚ୍ଚ ଧର୍ମ। ଦୁଃଖୀର ଦୁଃଖରେ ସମବେଦନା, ଅସହାୟର ଆଖିରୁ ଲୁହ ପୋଛିବା ଏବଂ ସମାଜର ଶେଷ ଧାଡ଼ିରେ ଥିବା ମଣିଷଟିକୁ ନ୍ୟାୟ ଓ ସମ୍ମାନ ଦେବା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର। ତାଙ୍କର ତ୍ୟାଗ, ତପସ୍ୟା ଓ ନିଃସ୍ୱାର୍ଥପର ସେବା ଓଡ଼ିଶାର ଇତିହାସରେ ସଦାସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।”
ସେ ଆହୁରି କହିଛନ୍ତି, “ଗୋପବନ୍ଧୁ ଦାସଙ୍କ ଜୀବନ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ; ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ମହାନ ଆଦର୍ଶ ଓ ଦାୟିତ୍ୱର ବାର୍ତ୍ତା। ଓଡ଼ିଆ ଭାଷା, ସାହିତ୍ୟ, ଶିକ୍ଷା ଓ ସମାଜର ଉନ୍ନତି ପାଇଁ ସେ ଯେଉଁ ଅକ୍ଲାନ୍ତ ସଂଘର୍ଷ କରିଥିଲେ, ତାହା ଆଜି ମଧ୍ୟ ଆମକୁ ନୂତନ ଓଡ଼ିଶା ଗଠନ ପାଇଁ ପ୍ରେରଣା ଦେଉଛି। ତାଙ୍କ ଜୟନ୍ତୀ ପାଳନର ପ୍ରକୃତ ସାର୍ଥକତା କେବଳ ପୁଷ୍ପମାଲ୍ୟ ଅର୍ପଣରେ ସୀମିତ ନୁହେଁ; ବରଂ ତାଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ଜନସେବା, ସମାଜସେବା ଓ ରାଜ୍ୟର ସର୍ବାଙ୍ଗୀଣ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାରେ ହିଁ ରହିଛି।”
ଉତ୍କଳମଣିଙ୍କ ଜୀବନ ଆମକୁ ଶିଖାଏ ଯେ ପ୍ରକୃତ ମହାନତା କ୍ଷମତା କିମ୍ବା ପ୍ରତିଷ୍ଠାରେ ନୁହେଁ, ବରଂ ଲୋକଙ୍କ ହୃଦୟରେ ସ୍ଥାନ ପାଇବାରେ ରହିଛି। ତାଙ୍କ ତ୍ୟାଗ ଓ ସେବାର ଆଦର୍ଶକୁ ପାଥେୟ କରି ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ ଓ ବିକଶିତ ଓଡ଼ିଶା ଗଠନ କରିବା ହିଁ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ଏହି ଅବସରରେ ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ସେବା ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହି ଉତ୍କଳମଣିଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିଥିଲେ।
“ଉତ୍କଳମଣିଙ୍କ ଆଦର୍ଶ ଆମର ପ୍ରେରଣା, ଜନସେବା ଆମର ସଂକଳ୍ପ ଏବଂ ବିକଶିତ ଓଡ଼ିଶା ଆମର ଲକ୍ଷ୍ୟ।”