ଏନ୍‌କାଉଣ୍ଟରରେ ଟଳିଲେ ୧୦ରୁ ଉର୍ଦ୍ଧ୍ବ ମାଓବାଦୀ

ଘଟଣାସ୍ଥଳରୁ AK-47 ଓ ଇନ୍‌ସାସ୍‌ ବନ୍ଧୁକ ଜବତ

ସୁକମା, ୦୩/୦୧: ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଅତି କମରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ସୁକମା ଦ୍ୱାରା କିସ୍ତାରାମ ଥାନା ଅନ୍ତର୍ଗତ ପାଲୋଡି ଏବଂ ପୋଟକପାଲି ଅଞ୍ଚଳରୁ ଏହି ଅପରେସନ ଆରମ୍ଭ କରାଯାଇଥିଲା। ସୁକମାର କିସ୍ତାରାମ ଅଞ୍ଚଳର ପାମଲୁର ଗାଁ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା।

ଗୁଳି ବିନିମୟ ସମୟରେ ସୁରକ୍ଷା ବାହିନୀ ୧୨ ଜଣ ନକ୍ସଲ କ୍ୟାଡରଙ୍କୁ ନିଷ୍କ୍ରିୟ କରିଥିଲେ। ନିହତଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ସଚିବ ମାଙ୍ଗଡୁ ମଧ୍ୟ ଥିଲା। ବାକି ନିହତ ନକ୍ସଲଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ଥାପିତ ହୋଇନାହିଁ।

ଏନକାଉଣ୍ଟର ସ୍ଥଳରୁ AK-47 ଏବଂ INSAS ରାଇଫଲ ସମେତ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ଛତିଶଗଡ଼ରେ ସୁରକ୍ଷା ବାହିନୀ ସହିତ ପୃଥକ ଏନକାଉଣ୍ଟରରେ ୨୮୫ ଜଣ ନକ୍ସଲ ନିହତ ହୋଇଥିଲେ। ଏଥିମଧ୍ୟରୁ ୨୫୭ ଜଣ ବସ୍ତର ଡିଭିଜନରେ ନିପାତ ହୋଇଥିଲେ, ଯାହା ବିଜାପୁର ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ। ରାୟପୁର ଡିଭିଜନର ଗରିଆବନ୍ଦ ଜିଲ୍ଲାରେ ୨୭ ଜଣ ନିହତ ହୋଇଥିଲେ।