ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ

୪ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର, ୦୮/୦୧: ଆଜି ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜାନୁୟାରୀ ମାସରେ ସାଢେ ୪ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି। ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂତନ ପଞ୍ଜୀକୃତ ସୁଭଦ୍ରା ହିତାଧିକାରୀ, ଆଗରୁ କୌଣସି କାରଣରୁ ବାଦ ପଡିଥିବା ଓ ପରେ ଅଭିଯୋଗ ଶୁଣାଣିର ତଦନ୍ତ ଦ୍ଵାରା ଯୋଡି ହୋଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀ, ଅନ୍ୟ ୨ ଲକ୍ଷ ୫୫ ହଜାର ୨୨୬ ଜଣ ହିତାଧିକାରୀଙ୍କୁ ମିଶାଇ ସମୁଦାୟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ହିତାଧିକାରୀଙ୍କୁ ବକେୟା ସୁଭଦ୍ରା ସହାୟତା କିସ୍ତି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହି ବୈଠକରେ ଆସନ୍ତା ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ମାର୍ଚ୍ଚ ୮ରେ ପ୍ରଦାନ କରିବାକୁ ଥିବା ଚତୁର୍ଥ କିସ୍ତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚତୁର୍ଥ କିସ୍ତି ସୁନିଶ୍ଚିତ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା।