ଭୁବନେଶ୍ୱର, ୦୮/୦୧: ପାଣ୍ଡରା ମୌଜା ଅନ୍ତର୍ଗତ ପ୍ଲଟ ନମ୍ବର ୪୦୪୬ ଏବଂ ୩୮୫୯ରେ ଥିବା ସରକାରୀ ଜମି ବେଆଇନ ଭାବେ ଜବରଦଖଲ ହୋଇଛି। ଏହି ପ୍ଲଟଟି ୧୬ ଏକର ୧୦୦ ଡିସିମିଲରେ ପରିମିତ। ଏଠାରେ ହୋଇଥିବା ଜବରଦଖଲକୁ ଉଚ୍ଚେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)।
ଗୁରୁବାର ବିଡିଏ ପକ୍ଷରୁ ହୋଇଥିବା ଉଚ୍ଛେଦରେ ୭ଟି ଆଜବେଷ୍ଟସ ଘର, ୨ଟି ଟିଣ ନିର୍ମିତ ଘର, ଗୋଟିଏ ଷ୍ଟୋର, ଗୋଟିଏ ଗାଡ଼ି ସଫା ଦୋକାନ, ଗୋଟିଏ ପାଣି ଟାଙ୍କି, ୪ଟି ଅର୍ଦ୍ଧ ନିର୍ମିତ ଘର, ୭ଟି କ୍ଯାବିନ, ୨ଟି ଶୌଚାଳୟ ଓ ୩୦୦ ବର୍ଗଫୁଟର ପାଚେରୀ ଭଙ୍ଗାଯାଇଛି। ପ୍ରାୟ ୧ ଏକର ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ସମୟ ଅଭାବରୁ ବାକି ଥିବା ଉଚ୍ଛେଦ ଆସନ୍ତାକାଲି(ଶୁକ୍ରବାର) କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ ପୁରୁଷ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସ୍ଡି) ଦେବରାଜ ସେଠୀ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସହ ଏନଫୋର୍ସମେଣ୍ଟ ଦଳ 1, 2, 4 ଓ 5 ଉପସ୍ଥିତ ଥିଲେ।