ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ରାଜ୍ୟରେ ଥିବା ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ

ଭୁବନେଶ୍ୱର, ୦୯/୦୧: ଆଜି ଲୋକସେବା ଭବନ ଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ (ଓଗ୍ରୀ ପୋର୍ଟାଲ- ogri.optcl.co.in) ର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଥିବା ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ । ଗ୍ରୀଡ୍ ର ଟ୍ରାନ୍ସଫରମେସନ କ୍ଷମତା, ବିଦ୍ୟୁତ୍ ଉପଲବ୍ଧତା, ବର୍ତ୍ତମାନ କେତେ ଲୋଡ ରହିଛି ଆଉ କେତେ ଅଧିକ ନେଇ ହେବ ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହଜରେ ସମସ୍ତଙ୍କ ପାଖେ ଉପଲବ୍ଧ ହେବ । ଏହି ୱେବସାଇଟ ପୁଞ୍ଜି ନିବେଶକ ତଥା ଶିଳ୍ପାନୁଷ୍ଠାନମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଉପଲବ୍ଧତା ସମ୍ପର୍କରେ ପ୍ରମାଣିକ ସୂଚନା ପ୍ରଦାନ କରି ନିବେଶ ନିଷ୍ପତ୍ତି ନେବାରେ ବେଶ ସହାୟକ ହେବ ।

ଗ୍ରୀଡ୍ ସବଷ୍ଟେସନରେ ଉପଲବ୍ଧତା ସମ୍ପର୍କରେ ଏପରି ସ୍ପଷ୍ଟତା ରଖିବାରେ ଓଡ଼ିଶା ରାଜସ୍ଥାନ ପରେ ଦ୍ୱିତୀୟ ରାଜ୍ୟ । ଏହି ୱେବସାଇଟ ସରକାରୀ ବିଭାଗ ଓ ନୀତିନିର୍ଦ୍ଧାରକମାନଙ୍କୁ କୌଶଳଗତ ନିଷ୍ପତ୍ତି ନେବାରେ ସହାୟତା କରିବା ସହିତ ରାଜ୍ୟର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାର ସମନ୍ୱୟ ରକ୍ଷା କରିବା ପାଇଁ ଏକ ଭରସାଯୋଗ୍ୟ ଡିଜିଟାଲ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିର ମୂଳ ଆଧାର ଭାବେ ଥିବା ସ୍ୱଚ୍ଛତା ଏବଂ ବ୍ୟବସାୟ କରିବାର ସହଜ ମନ୍ତ୍ରକୁ ସ୍ପଷ୍ଟଭାବେ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ।

ଏହି ଅବସରରେ ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଓପିଟିସିଏଲ୍‌ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।