ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ମହେନ୍ଦ୍ରଗିରିରେ ସଫେଇ ଅଭିଯାନ
ସଫେଇ ଅଭିଯାନ ଇକୋ-ଟୁରିଜମ୍କୁ ସୁସ୍ଥାୟୀ କରିବ
ପାରଳାଖେମୁଣ୍ଡି, ୦୯/୦୧(ତାରିଣୀ ପ୍ରସାଦ ପଣ୍ଡା): ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟୁନିଟ୍ର ପକ୍ଷରୁ ଆଜି ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଏକ ସଫେଇ ଅଭିଯାନ ଆୟୋଜିତ ହୋଇଛି। ବୁରଖତ ଗ୍ରାମ, ମହେନ୍ଦ୍ରଗିରି ଇକୋ ରିସୋର୍ଟ ଏବଂ କୁମ୍ଭୀ ମନ୍ଦିର ସମୀପସୁ ହିଲ୍ ଷ୍ଟେସନ୍ ଅଞ୍ଚଳରେ ଏହି ସଫେଇ କାର୍ଯ୍ୟକ୍ରମ ପରିଚାଳିତ ହୋଇ ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ସଚେତନତାର ସନ୍ଦେଶ ପ୍ରସାରିତ କରାଯାଇଛି। ଏହି ଅଭିଯାନରେ ବନପାଳ ଶ୍ରୀଯୁକ୍ତ ସିବରାମ ସାବତ, ବନରକ୍ଷୀ କବିତା ରାଣୀ ଦେବୀ ଓ ବନବିଭାଗର ଅନ୍ୟାନ୍ୟ କର୍ମଚାରୀ ସତ୍ୟ ସ୍ବରାଜ ମହାନ୍ତି, ରଙ୍କମଣି ବରିଆ ଓ କୈଳାଶ ନାୟକ ଉପସ୍ଥିତ ଥିଲେ। ଏହା ସହ ଇକୋ ଡେଭଲପମେଣ୍ଡୁ କମିଟିର ଅଧ୍ୟକ୍ଷ ଶ୍ରୀ ସନ୍ୟାସୀ ଭୂୟାଁ, କୋଷାଧ୍ୟକ୍ଷ ଭାସ୍କର ମଣ୍ଡଳ, ପୁତ୍ତର୍ ଗ୍ରାମର ସରପଞ୍ଚ ଅମ୍ବିକା ନାୟକ, ଏଙ୍ଗସିଂ ଗ୍ରାମର ସରପଞ୍ଚ କୁମାରୀ କର୍ଜୀ ଏବଂ ବୁରଖତ ଗ୍ରାମର ଗ୍ରାମବାସୀ ବୃନ୍ଦ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ସଫେଇ ଅଭିଯାନକୁ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବିଷ୍ଣୁ ପ୍ରସାଦ ଦାଶ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ, ତାଙ୍କର ତତ୍ବାବଧାନରେ ୨୨ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ସଫେଇ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ।
ମହେନ୍ଦ୍ରଗିରି ପର୍ବତ ଏକ ଗୁରୁତ୍ଵପୂର୍ଣ୍ଣ ଜୈବ-ବିବିଧତା ଓ ଇକୋ-ପର୍ଯ୍ୟଟନ କ୍ଷେତ୍ର ହେବାରୁ ଏଠାରେ ସ୍ବଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ। ପର୍ଯ୍ୟଟକମାନଙ୍କ ଦ୍ବାରା ସୃଷ୍ଟି ପ୍ଲାଷ୍ଟିକ ଓ ଅବର୍ଜନା ପ୍ରଦୂଷଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ସନ୍ତୁଳନକୁ ଭାରି ମାତ୍ରାରେ କ୍ଷତି ପହଞ୍ଚାଏ। ଏହିପରି ସଫେଇ ଅଭିଯାନ ଇକୋ-ଟୁରିଜମ୍କୁ ସୁସ୍ଥାୟୀ କରିବା ସହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବେଶ ଦାୟିତ୍ବବୋଧ ସୃଷ୍ଟି କରେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃନ୍ଦ ବନବିଭାଗ ଅଧୂକାରୀମାନଙ୍କ ସହ ମିଳିତ ଭାବେ ସ୍ଲୋଗାନ ଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏକ ସଚେତନତା ରାଲି କରିଥିଲେ, ଯାହା ମହେନ୍ଦ୍ରଗିରି ଅଞ୍ଚଳକୁ ସ୍ବଚ୍ଛ ଓ ସୁରକ୍ଷିତ ରଖିବାର ସନ୍ଦେଶ ଦେଇଛି।