ରାଜଧାନୀ ମହାବିଦ୍ୟାଳୟରେ ପାଳିତ ହେଲା ଜାତୀୟ ଯୁବ ଦିବସ

ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର, ୧୨/୦୧:ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ‘ଜାତୀୟ ଯୁବ ଦିବସ’ ଅବସରରେ ରାଜଧାନୀ ଷ୍ଟୁଡେଣ୍ଟ୍ ୟୁନିଟ୍ ପକ୍ଷରୁ ରାଜଧାନୀ କଲେଜ ପରିସରରେ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜଧାନୀ ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ କଲେଜ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଜିର ଏହି ଦିନଟି ଯୁବପିଢ଼ିଙ୍କ ଅଦମ୍ୟ ସାହସ, ସଂକଳ୍ପ ଏବଂ ସାମର୍ଥ୍ୟକୁ ସମ୍ମାନ ଜଣାଇବାର ଦିନ ଭାବେ ପାଳନ କରିଥିଲେ। ଏହି ଅବସରରେ ରାଜଧାନୀ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଆଲୁମନି ଆସୋସିଏସନ୍ ର ସମ୍ପାଦକ ରଜତ ପରିଡ଼ା ଯୋଗ ଦେଇ କହିଥିଲେ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମର ଯୁବ ବନ୍ଧୁମାନେ ‘ବିକଶିତ ଓଡ଼ିଶା’ ଗଠନର ସାରଥି ହୁଅନ୍ତୁ, ଏହା ହିଁ ମୋର କାମନା। ଆସନ୍ତୁ, ସମସ୍ତେ ମିଶି ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଗଠନ ପାଇଁ ନିଜକୁ ଉତ୍ସର୍ଗ କରିବା। “ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟ ପ୍ରାପ୍ତି ନ ହେବା ଯାଏଁ ବିରାମ ନିଅ ନାହିଁ। ଆମ ଦେଶରେ ପ୍ରତିବର୍ଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଇଆସୁଛି। ୧୮୬୩ ମସିହା ଜାନୁଆରି ୧୨ ତାରିଖରେ ଜନ୍ମିତ ସ୍ବାମୀଜୀ ହେଉଛନ୍ତି ଭାରତୀୟ ଇତିହାସର ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ଯିଏ ବେଦାନ୍ତ ଓ ଯୋଗ ସମ୍ବଳିତ ହିନ୍ଦୁ ଦର୍ଶନର ପ୍ରଚାରପ୍ରସାର କରିଥିଲେ। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ସେ ହିନ୍ଦୁଧର୍ମକୁ ଏକ ପ୍ରମୁଖ ବିଶ୍ବ ଧର୍ମ ରୂପେ ଉପସ୍ଥାପନ କରିଥିଲେ। ତାଙ୍କ ନେତୃତ୍ବରେ ସାମାଜିକ ନ୍ୟାୟ ଓ ସମାଜରେ ନାରୀମାନଙ୍କ ସ୍ଥିତି ପାଇଁ ଲଢ଼େଇ ହୋଇଥିଲା। ସମାଜରେ ନିମ୍ନଜାତିର ଲୋକଙ୍କର ସ୍ଥିତିକୁ ଉପରକୁ ଉଠାଇବା ସପକ୍ଷରେ ସେ ମତ ରଖିଥିଲେ।ଏହି ଦୂରଦୃଷ୍ଟିସଂପନ୍ନ ବ୍ୟକ୍ତିତ୍ବଙ୍କ ଜନ୍ମଦିନକୁ ଭାରତ ସରକାର ୧୯୮୪ ମସିହାରୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବା ସହ ଏହିଦିନ ସ୍ବାମୀଜୀଙ୍କର ଦର୍ଶନ ଓ ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ରାଷ୍ଟ୍ରର ଭବିଷ୍ୟତ ଗଠନରେ ଯୁବଗୋଷ୍ଠୀର ଭୂମିକା ଓ ଗୁରୁତ୍ବକୁ ଚିହ୍ନିବା ଓ ସମସ୍ତଙ୍କୁ ସୁଯୋଗ ଦେବା ଆମ ଲକ୍ଷ ହେଉ ବୋଲି ଶ୍ରୀ ପରିଡ଼ା କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରାଜଧାନୀ ମହାବିଦ୍ୟାଳୟର ଅଧ୍ୟାପକ ରାଜକିଶୋର ସାମଲ, ଛାତ୍ର ନେତା ସଂଗ୍ରାମ ଦାଶ, ସ୍ଵାଗତ ସାହୁ, ରୁଦ୍ର ନାରାୟଣ ସାହୁ, ଆଦେଶ ମହାନ୍ତି, ସୌମ୍ୟ ରଞ୍ଜନ ସାହୁ, ଦିନେଶ ବେହେରା, ସୁଦାମ ସାହୁ, ଆଦିତ୍ୟ ସାହୁ, ଅସିତ୍ କୁମାର ମଲ୍ଲିକ, ପ୍ରତୀକ ମହାରଣା, ସୁନନ୍ୟା ବେହେରା, ଅର୍ଚିତା ଡାଙ୍ଗୁଆ, ହରଗୌରୀ ରାଉତରାୟ, ଅଭିନାଷ ପାଢି, ଶ୍ୱେତା ସାହୁ, ଶ୍ରାବଣୀ ସେଠୀ, ଶୁଭମ ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ।