ଡକ୍ଟର ପ୍ରତିଭା ରାୟଙ୍କ ‘ଦୟାନଦୀରୁ ନିରଞ୍ଜନା’ ଉପନ୍ୟାସ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାର ୧ କୋଟିରୁ ଉର୍ଦ୍ଧ୍ୱ ପିଲାଙ୍କୁ ସାହସୀ, ସ୍ୱାଭିମାନୀ ଓ ସ୍ୱାବଲମ୍ବୀ ଭାବେ ଗଢ଼ିବା • ମାତୃଭାଷାରେ ଶିକ୍ଷାଦାନ ପ୍ରଦାନ କରିବା ସହ ନବଜାତ ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ପୋଷଣ ପାଇଁ ଗାଁ ଗାଁରେ ସାମାଜିକ ଆନ୍ଦୋଳନ କରିବା • ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ପ୍ରାକୃତିକ ସମ୍ପଦକୁ ଉପଯୋଗ କରି ଓଡ଼ିଶାର ଯୁବପିଢ଼ିଙ୍କୁ ଆନ୍ତର୍ଜାତୀୟ ଦକ୍ଷତା ପ୍ରଦାନ କରିବା • ‘ଦୟାନଦୀରୁ ନିରଞ୍ଜନା’ ପରି ପୁସ୍ତକ ପାଠକୀୟ ଆଦୃତି ଲାଭ କରିବା ସହ ସମାଜକୁ ନୂଆ ଦିଗ୍ଦର୍ଶନ ଦେବ • ଏହି କୃତିଟି ଓଡ଼ିଶାର ଗୌରବମୟ ଇତିହାସ ଏବଂ ବିଶ୍ୱ ଶାନ୍ତିର ବାର୍ତ୍ତାବହ ବୌଦ୍ଧ ଦର୍ଶନର ଅପୂର୍ବ ମହାମିଳନ
୨୦୩୬ର ‘ବିକଶିତ ଓଡ଼ିଶା’ ପାଇଁ ୨୦୨୬ରୁ ପ୍ରୟାସ କରିବା: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୬/୦୧: ଆମେ ୨୦୨୬ରୁ ୨୦୩୬ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧିର ଲକ୍ଷ୍ୟ ନେଇ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛୁ । ଏହି ସମୟରେ ଓଡ଼ିଶାର ୧ କୋଟିରୁ ଉର୍ଦ୍ଧ୍ୱ ପିଲାଙ୍କ ଯତ୍ନ ନେବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଏବଂ ଯୁବପିଢ଼ିଙ୍କୁ ଆନ୍ତର୍ଜାତୀୟ ଦକ୍ଷତା ପ୍ରଦାନ କରିବା ପାଇଁ ଦାୟିତ୍ନ ନେବା ସହ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ଠାରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ଦ୍ୱାରା ରଚିତ ଐତିହାସିକ ଉପନ୍ୟାସ ‘ଦୟାନଦୀରୁ ନିରଞ୍ଜନା’ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଆଗାମୀ ଏକ ଦଶନ୍ଧି ୨୦୨୬ରୁ ୨୦୩୬ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଶ୍ରୀ ପ୍ରଧାନ ବିକଶିତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ପିଲାମାନେ, ଅର୍ଥାତ୍ ଯେଉଁମାନଙ୍କ କାନ୍ଧରେ ବିକଶିତ ଓଡ଼ିଶାର ଦାୟିତ୍ୱ ରହିଛି, ସେମାନଙ୍କୁ ସାହସୀ ଓ ସ୍ୱାବଲମ୍ବୀ କରିବା ପାଇଁ ମାତୃଭାଷାରେ ଶିକ୍ଷାଦାନ ପ୍ରଦାନ କରିବା ଜରୁରୀ । ସେହିପରି ନବଜାତ ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ପୋଷଣ ପାଇଁ ଗାଁ ଗାଁରେ ଏକ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି । ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ପ୍ରାକୃତିକ ସମ୍ପଦକୁ ଉପଯୋଗ କରି ଓଡ଼ିଶାର ଯୁବପିଢ଼ିଙ୍କୁ ଆନ୍ତର୍ଜାତୀୟ ଦକ୍ଷତା ପ୍ରଦାନ କରିବା ଆଜିର ଆବଶ୍ୟକତା ରହିଛି । କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ପ୍ରତି ସଚେତନ ହେବେ, ସେତେବେଳେ ହିଁ ସମସ୍ତଙ୍କ ଅଧିକାର ସୁରକ୍ଷିତ ରହିବ ଏବଂ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ସାକାର ହେବ ।
ଏହାବ୍ୟତୀତ ଶ୍ରୀ ପ୍ରଧାନ ପୁସ୍ତକ ବାବଦରେ କହିଛନ୍ତି ଯେ, ଏହି କୃତିଟି କେବଳ ଏକ ଉପନ୍ୟାସ ନୁହେଁ, ବରଂ ଏହା ଓଡ଼ିଶାର ଗୌରବମୟ ଇତିହାସ ଏବଂ ବିଶ୍ୱ ଶାନ୍ତିର ବାର୍ତ୍ତାବହ ବୌଦ୍ଧ ଦର୍ଶନର ଏକ ଅପୂର୍ବ ମହାମିଳନ । ‘ଦୟା’ ନଦୀ – ଯିଏ ଖ୍ରୀଷ୍ଟପୂର୍ବ ୨୬୧ରେ ରକ୍ତର ନଦୀ ଦେଖିଥିଲା । ଚଣ୍ଡାଶୋକରୁ ଧର୍ମାଶୋକ ହେବାର ସେହି ମହାନ୍ ପରିବର୍ତ୍ତନର ମୂକସାକ୍ଷୀ ହେଉଛି ଆମର ଏହି ଦୟା ନଦୀ । ଅନ୍ୟପଟେ ‘ନିରଞ୍ଜନା’ – ଯାହାର ତଟରେ ଭଗବାନ ବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ କରିଥିଲେ । ଏହି ଉପନ୍ୟାସ ମାଧ୍ୟମରେ ଡକ୍ଟର ରାୟ ଆଜିର ପିଢ଼ି ପାଇଁ ଇତିହାସର ସେହି ଦର୍ପଣକୁ ସାହିତ୍ୟ ଶୈଳୀରେ ଉପସ୍ଥାପନ କରିଛନ୍ତି ।
ଏକବିଂଶ ଶତାବ୍ଦୀରେ ଏଭଳି ଏକ ପୁସ୍ତକର ରଚନା ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ ପଦକ୍ଷେପ। କୁହାଯାଏ ଯେ, ଗୋଟିଏ ଜାତି, ସଭ୍ୟତା ଓ ସଂସ୍କୃତି ନିଜର ଇତିହାସକୁ ଦେଖିହିଁ ଆଗକୁ ବଢ଼ିଥାଏ; କାରଣ ଇତିହାସ ସର୍ବଦା ଏକ ଦର୍ପଣ ସଦୃଶ କାର୍ଯ୍ୟ କରେ । ‘ଦୟାନଦୀରୁ ନିରଞ୍ଜନା’ କେବଳ ଏକ ମାତ୍ର ଐତିହାସିକ ଉପନ୍ୟାସ ନୁହେଁ, ବରଂ ଏହା ସମଗ୍ର ମାନବ ସଭ୍ୟତାକୁ ପ୍ରେମ, କରୁଣା ଓ ଅହିଂସାର ଶାଶ୍ୱତ ସନ୍ଦେଶ ପ୍ରଦାନ କରେ । ଯେଉଁ ଐତିହାସିକ ଘଟଣା ଦିନେ ଦୟାନଦୀର ଜଳକୁ ରକ୍ତରଞ୍ଜିତ କରିଥିଲା, ତାହା ହିଁ ପରବର୍ତ୍ତୀ ସମୟରେ ବିଶ୍ୱକୁ ଶାନ୍ତିର ପଥ ପ୍ରଦର୍ଶନ କରିଥିଲା । ଏହି ମହତ ପୁସ୍ତକଟି ସାଧାରଣରେ ବହୁଳ ଭାବରେ ଆଦୃତ ହେବା ନେଇ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।
ଏହି ପୁସ୍ତକ ବିମୋଚନ ସମାରୋହରେ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁସ୍ତକର ଲେଖିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ, ଇଷ୍ଟର୍ଣ୍ଣ ରିଜିଓନାଲ ଲାଙ୍ଗୁଏଜ୍ ସେଣ୍ଟରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।