ଗୋ ମାଫିଆଙ୍କ ଘରେ ରେଡ୍: ୭୦ ଲକ୍ଷ କ୍ୟାସ୍ ଜବତ

୫ଟି ଜିଲ୍ଲାରେ ୪୭ ଟିମ୍ ସହ ଚଢାଉ ଜାରି ରଖିଛି କେନ୍ଦୁଝର ପୋଲିସ

୪୭ ଟିମ୍ ସାମିଲ, ୧୮ ପ୍ଲାଟୁନ ଫୋର୍ସ ମୁତୟନ

କେନ୍ଦୁଝର, ୧୭/୦୧: ବେଆଇନ ଗୋ-ଚାଲାଣ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଗୋ-ଚାଲାଣ ଲିଙ୍କରେ ସମ୍ପୃକ୍ତ ଥିବା ଜଣେ ଗୋ ମାଫିଆଙ୍କ ଘରେ ଅତର୍କିତ ଚଢ଼ାଉ କରିଛି ପୋଲିସ। ଭଦ୍ରକ ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ। ୫ଟି ଜିଲ୍ଲାରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସ ରେଡ୍‌ କରିଛି। ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ଚଢାଉ ଜାରି ରହିଛି।

ସକାଳୁ ସକାଳୁ ଏହି ଚଢ଼ାଉରେ କେନ୍ଦୁଝର ପୋଲିସର ଏକାଧିକ ଟିମ୍ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅନ୍ତର୍ଗତ ସାନ୍ତରାପୁର, କାଳିଆହତା, ତେଲକୋଇ, ଘସିପୁରା, ତୁରୁମୁଙ୍ଗା ଏବଂ ଜାମୁଜୋଡି ସମେତ ୪୬ଟି ସ୍ଥାନରେ ଚଢାଉ କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ବିସୋଇ, କରଞ୍ଜିଆ, ଝାରପୋଖରିଆ, ତେଣ୍ଟୋପୋଷି, ଚଢେଇଭୋଳ, କେନ୍ଦ୍ରେଇ ଏବଂ ଠାକୁରମୁଣ୍ଡା ସହିତ ଯାଜପୁର ଜିଲ୍ଲାର କୋରେଇ ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକକାଳୀନ ଚଢାଉ କରିଛି।

ଏହି ଅଭିଯାନର ଦୁଇଜଣ ଅତିରିକ୍ତ ପୋଲିସ ଅଧିକ୍ଷକ ନେତୃତ୍ୱ ନେଇଥିଲେ ଏବଂ ଏଥିରେ ପାଞ୍ଚ ଜଣ ଡେପୁଟି ପୋଲିସ ଅଧିକ୍ଷକ, ୨୫ ଜଣ ଇନ୍ସପେକ୍ଟର ଏବଂ ୩୬ ଜଣ ସବ-ଇନ୍ସପେକ୍ଟର ଏବଂ ସହକାରୀ ସବ-ଇନ୍ସପେକ୍ଟର ସାମିଲ ଥିଲେ, ଏବଂ ୧୮ ପ୍ଲାଟୁନ ସଶସ୍ତ୍ର ବାହିନୀ ନିୟୋଜିତ ହୋଇଥିଲେ।

ଭଦ୍ରକ ଏବଂ କେଉଁଝର ପୋଲିସର ଏକ ମିଳିତ ଦଳ ଭଦ୍ରକର ଚନ୍ଦନ ବଜାରରେ ଥିବା କୁଖ୍ୟାତ ଗୋରୁ ମାଫିଆ ଶେଖ ରାଜନ ଓରଫ ତୌଜୁଦ୍ଦିନ (୪୦)ଙ୍କ ବାସଭବନରେ ଚଢାଉ କରି ୭୦ ଲକ୍ଷ ଟଙ୍କା ନଗଦ ଜବତ କରିଥିବା ଜଣାପଡ଼ିଛି। ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ଗଣିବା ପାଇଁ ୨ ଟି ମେସିନ୍ ଅଣାଯାଇଛି। ଏଥି ସହ ଟଙ୍କା ଗଣିବା ପାଇଁ ନିୟୋଜିତ ଅଛନ୍ତି ୭ ପୋଲିସ।

ଅଭିଯୁକ୍ତ ଜଣକ ଗୋରୁ ଚୋରି, ବେଆଇନ ପରିବହନ ଏବଂ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ଭଳି ସଂଗଠିତ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭଦ୍ରକ ପୋଲିସ ତାଙ୍କ ଉପରେ ନଜର ରଖିଥିଲା ବୋଲି ଜଣାପଡ଼ିଛି।