ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ, ୨୬/୦୧: ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି।

ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍-୪ (Axiom Mission 4) ମିଶନରେ ଭାଗ ନେଇ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS) ଯାତ୍ରା କରି ଭାରତର ପ୍ରଥମ ବ୍ୟକ୍ତି ଭାବେ ସେଠାରେ ପହଞ୍ଚିବାର ଗୌରବ ଅର୍ଜନ କରିଛନ୍ତି। ଏହି ଉଚ୍ଚ-ବିପଦପୂର୍ଣ୍ଣ ମିଶନରେ ତାଙ୍କର ଅସାଧାରଣ ସାହସ, ନେତୃତ୍ୱ ଓ ଦେଶ ପ୍ରତି ନିଷ୍ଠାକୁ ମାନ୍ୟତା ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି।

୧୯୮୪ ମସିହାରେ ସ୍କ୍ୱାଡ୍ରନ୍ ଲିଡର୍ ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ହିଁ ଦ୍ୱିତୀୟ ଭାରତୀୟ ଭାବେ ମହାକାଶ ଯାତ୍ରା କରିଛନ୍ତି। ରାକେଶ ଶର୍ମାଙ୍କୁ ମଧ୍ୟ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ମହାକାଶ କ୍ଷେତ୍ରକୁ ଦେଶର ସୁରକ୍ଷା ଓ ବିକାଶର ଏକ ଅଂଶ ଭାବେ ସ୍ୱୀକାର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁ ଶୁକ୍ଳାଙ୍କ ସମେତ ମୋଟ ୭୦ ଜଣ ସଶସ୍ତ୍ର ବାହିନୀ କର୍ମଚାରୀଙ୍କୁ ବିଭିନ୍ନ ସାହସିକତା ପୁରସ୍କାର ପାଇଁ ଅନୁମୋଦନ ଦେଇଛନ୍ତି। ଏଥିରେ ୩ଟି କୀର୍ତ୍ତି ଚକ୍ର, ୧୩ଟି ଶୌର୍ଯ୍ୟ ଚକ୍ର (ଗୋଟିଏ ମରଣୋତ୍ତର), ୧ଟି ବାର୍ ଟୁ ସେନା ମେଡାଲ୍ (ଗାଲାଣ୍ଟ୍ରି), ୪୪ଟି ସେନା ମେଡାଲ୍ (ଗାଲାଣ୍ଟ୍ରି, ୫ଟି ମରଣୋତ୍ତର), ୨ଟି ବାୟୁସେନା ମେଡାଲ୍ ଆଦି ରହିଛି। ଏହାଛଡ଼ା ୩୦୧ ଜଣ କର୍ମଚାରୀଙ୍କୁ ସେନା ସମ୍ମାନ ଓ ସେନା ପଦକ ପ୍ରଦାନ ପାଇଁ ମଧ୍ୟ ଅନୁମୋଦନ ମିଳିଛି।