ୟୁଜିସିକୁ ସୁପ୍ରିମ ଝଟକା

ନୂଆ ନିୟମ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯/୦୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂଆ ନିୟମକୁ ସାରା ଦେଶରେ ପ୍ରବଳ ବିରୋଧ କରାଯାଉଥିବା ଏହା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ନୂଆ ନିୟମ ଉପରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲା। ବର୍ତ୍ତମାନ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଏବଂ UGC ନିୟମ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ ରେ ହେବ।

ସୂଚନାଯୋଗ୍ୟ, ଜାନୁଆରୀ ୨୩ରେ, ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ UGC ଦ୍ୱାରା ନୂଆ ନିୟମ ‘ସମାନତା ପ୍ରୋତ୍ସାହନ ନିୟମାବଳୀ-୨୦୨୬ ଲାଗୁ କରାଯାଇଥିଲା। କିନ୍ତୁ ଏହା ପରେ ଦେଶବ୍ୟାପୀ ଏହି ନିୟମକୁ ଜୋରଦାର ବିରୋଧ କରାଯାଉଥିଲା। ୟୁଜିସିର ଏ‌ହି ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା।

ଆବେଦନକାରୀ ନୂଆ UGC ନିୟମକୁ ମନମୁଖୀ, ବିଭେଦ ସୃଷ୍ଟି କରିବା, ପକ୍ଷପାତମୂଳକ ଏବଂ ସମ୍ବିଧାନ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଆଇନ, 1956ର ଉଲ୍ଲଂଘନ ବୋଲି ଅଭିଯୋଗ କରିଥିଲେ। ଆଇନରେ ଥିବା ନିୟମ ଜାତିଭିତ୍ତିକ ଭେଦଭାବ। ଏହା କେବଳ SC, ST ଏବଂ OBC ଛାତ୍ରମାନଙ୍କୁ ସୁରକ୍ଷା ଦେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କୁ କୌଣସି ସଂସ୍ଥାଗତ ସୁରକ୍ଷା ଯୋଗାଇ ଦିଆଯିବାର ବ୍ୟବସ୍ଥା ନାହିଁ ଏବଂ କୌଣସି ଅଭିଯୋଗର ସମାଧାନ ବ୍ୟବସ୍ଥା ମଧ୍ୟ ନାହିଁ। ଏହି ନିୟମ ସାଧାରଣ ବର୍ଗର ଛାତ୍ସାରଛାତ୍ରୀମାନଙ୍କୁ “ପ୍ରାକୃତିକ ଅପରାଧୀ” ଭାବେ ଧରି ନିଆଯିବ। ତେଣୁ, ଏହାକୁ ସମୀକ୍ଷା କରାଯିବା ଉଚିତ, ଏବଂ ସୁପ୍ରିମକୋର୍ଟ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଏହାର କାର୍ଯ୍ୟାନ୍ୱୟନକୁ ବନ୍ଦ କରାଯିବା ଉଚିତ ବୋଲି ଆବେଦନକାରୀ କହିଥିଲେ।