ମୁହାଁମୁହିଁ ଧକ୍କା ହେଲା ମିନିବସ୍ ଓ ଟ୍ରକ୍

୧୧ ମୃତ, ଅନେକ ଗୁରୁତର

ଦକ୍ଷିଣ ଆଫ୍ରିକା, ୨୯/୦୧: ଦକ୍ଷିଣ ଆଫ୍ରିକାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ମିନିବସ୍ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟି ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଆଜି ସକାଳ ୭ଟାରେ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଘଟିଛି। ରାଷ୍ଟ୍ରପତି ସିରିଲ୍ ରାମାଫୋସା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଦେଶ ପରିବହନ ବିଭାଗ ଅଧିକାରୀ ସିବୋନିସୋ ଡୁମା ଏକ ବିବୃତ୍ତିରେ କହିଛନ୍ତି ଯେ ଜଣେ ସ୍କୁଲ ପିଲା ସମେତ ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘରୋଇ ପାରାମେଡିକ୍ ସେବା ALS ପାରାମେଡିକ୍ସର ମୁଖପାତ୍ର ଗାରିଥ୍ ଜାମିସନ୍ କହିଛନ୍ତି ଯେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ମିନିବସ୍ ର ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ମିନିବସ୍ ରାସ୍ତା ପାଖରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ଦେଇଥିଲା।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ମିନିବସ୍ ଟ୍ୟାକ୍ସି ଏବଂ ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟି ୧୪ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିଲା।