ବାୟୁସେନା ଘାଟି ଉପରେ ଆକ୍ରମଣ

ଆକ୍ରମଣକାରୀ ସମେତ ୨୪ ମୃତ, ୧୧ ଗିରଫ

ନିଆମେ, ୩୦/୦୧: ନାଇଜରର ରାଜଧାନୀ ନିଆମେରେ ଏକ ବଡ଼ ଆକ୍ରମଣ ହୋଇଛି। ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥିତ ବାୟୁସେନା ଘାଟି ଉପରେ ଏକ ଭୟଙ୍କର ଆକ୍ରମଣ ହୋଇଛି। ନାଇଜରର ରାଷ୍ଟ୍ରାୟତ୍ତ ପ୍ରସାରକ କହିଛନ୍ତି ଯେ ବୁଧବାର ରାତିରେ ସଶସ୍ତ୍ର ଲୋକମାନେ ରାଜଧାନୀରେ ଥିବା ନାଇଜର ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ପ୍ରବଳ ଗୁଳିଚାଳନା ଏବଂ ବିସ୍ଫୋରଣ ହୋଇଥିଲା।

ଆକ୍ରମଣରେ ଚାରି ଜଣ ସୈନିକ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପ୍ରତିଶୋଧମୂଳକ ଗୁଳିରେ ୨୦ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୧ ଜଣଙ୍କୁ ଗିରଫ କରାଯାଇଛି।

ନାଇଜରର ରାଷ୍ଟ୍ରାୟତ୍ତ ଟେଲିଭିଜନ କହିଛି ଯେ ଦେଶ ସଂଘର୍ଷର ସମ୍ମୁଖୀନ ହେଉଛି। ଆକ୍ରମଣକାରୀମାନେ ମୋଟରସାଇକେଲରେ ଆସିଥିଲେ ଏବଂ ସୁରକ୍ଷା ବାହିନୀ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ଏହି ଘଟଣା ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ଆକ୍ରମଣ ହୋଇଥାଇପାରେ।

ଜର୍ମାନୀର କନରାଡ୍ ଆଡେନାଉର୍ ଫାଉଣ୍ଡେସନ୍‌ର ସାହେଲ୍ କାର୍ଯ୍ୟକ୍ରମର ମୁଖ୍ୟ ଉଲ୍ଫ ଲେସିଂଙ୍କ ଅନୁଯାୟୀ, ଆକ୍ରମଣକାରୀମାନେ ସମ୍ଭବତଃ ବାୟୁସେନା ଘାଟିରେ ଡ୍ରୋନ୍‌କୁ ଟାର୍ଗେଟ କରୁଥିଲେ। ନାଇଜର ଜିହାଦୀ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇକୁ ମଜବୁତ କରିବା ପାଇଁ ଅନେକ ଡ୍ରୋନ୍ କିଣିଛି। ତେଣୁ ଆକ୍ରମଣକାରୀ ମାନେ ସେହି ଡ୍ରୋନ ଗୁଡ଼ିକୁ ନଷ୍ଟ କରିବା ପାଇଁ ଏପରି ଆକ୍ରମଣ କରିଥିବା ଅନୁମାନ କରାଯାଉଛି।

ପଶ୍ଚିମ ଆଫ୍ରିକୀୟ ବିମାନ କମ୍ପାନୀ ଏୟାର କୋଟ୍ ଡି’ଆଇଭୋର କହିଛି ଯେ ନିଆମେ ବିମାନବନ୍ଦରର ରନୱେରେ ଥିବା ଏହାର ଏକ ବିମାନରେ ଗୁଳି ବାଜିଛି, ଯାହାଫଳରେ ବିମାନ ବହୁତ କ୍ଷତିଗ୍ରସ୍ତ ହୋଇଛି।

ଆଫ୍ରିକାର ସାହେଲ ଅଞ୍ଚଳରେ ୨୦୨୫ ମସିହାରେ, ଅଲ-କାଏଦା ଏବଂ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ସମର୍ଥିତ ଆତଙ୍କବାଦୀମାନେ ଆକ୍ରମଣ କରି କିଛି ଅଂଶକୁ ପୂରା ଧ୍ୱଂସ କରି ଦେଇଥିଲେ। ତେଣୁ ସେଠାରେ ସ୍ଥିରତା ଆଣିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି।