‘ଡାହାଣୀ’ ଶବ୍ଦ ଅପରାଧ

OHRCଙ୍କ ଐତିହାସିକ ନିର୍ଦ୍ଦେଶ

ଭୁବନେଶ୍ୱର, ୩୧/୦୧: ଓଡ଼ିଶାରେ ଡାହାଣୀ ଶିକାର ଭଳି କୁସଂସ୍କାରମୂଳକ ପ୍ରଥାକୁ ସମୁଳେ ନାଶ କରିବା ପାଇଁ ଓଡ଼ିଶା ମାନବାଧିକାର କମିଶନ (OHRC) ଏକ ଐତିହାସିକ ନିର୍ଦ୍ଦେଶ ଜାରି କରିଛନ୍ତି। ‘ଡାହାଣୀ’ ଶବ୍ଦର ବ୍ୟବହାରକୁ ଅପରାଧ ଭାବେ ଘୋଷଣା କରିବା ସହ ରାଜ୍ୟର ଡାହାଣୀ ନିବାରଣ ଆଇନକୁ ଅଧିକ ପ୍ରଭାବଶାଳୀ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛି। ୨୦୧୮ ମସିହାର ଏକ ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି।

ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଏବଂ ଏହାର ପରିପାଳନା ପାଇଁ ୨୦୧୪ରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ। ଫଳରେ ଜଣାପଡ଼ିଛି ଯେ, ବର୍ତ୍ତମାନର ଆଇନରେ ଡାହାଣୀ ଅଭିଯୋଗ ଆଧାରରେ ହେଉଥିବା ବଳପୂର୍ବକ ଗାଁ ରୁ ବହିଷ୍କାର, ସାମାଜିକ ବହିଷ୍କାର, ସମାଜରୁ ବାସନ୍ଦ ଏବଂ ଅମାନବିକ ଆଚରଣ ଭଳି ଘଟଣାଗୁଡ଼ିକୁ ରୋକିବା ପାଇଁ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥାର ଅଭାବ ରହିଛି।

ଏହି ସମସ୍ୟାର ସମାଧାନ ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛି ଯେ, ‘ଡାହାଣୀ’ ଶବ୍ଦକୁ ଅପରାଧ ଭାବେ ଘୋଷଣା କରାଯାଉ, ଆଇନକୁ ଲିଙ୍ଗ-ନିରପେକ୍ଷ କରାଯାଉ ଏବଂ ପ୍ରତିରୋଧ, ପୁନର୍ବାସନ ଓ ନ୍ୟାୟ ପୁନସ୍ଥାପନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ। ଏହା ସହିତ ଗୃହ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ସଂଯୁକ୍ତ ଭାବେ କମ୍ପୋଜିଟ୍ ଆକ୍ସନ୍ ପ୍ଲାନକୁ ସଂଶୋଧନ କରିବାକୁ କୁହାଯାଇଛି। ଏଥିରେ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ସାମିଲ କରାଯାଉ ଏବଂ ଅବହେଳା ପାଇଁ ଦାୟୀ ଅଧିକାରୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଏହି ନିର୍ଦ୍ଦେଶର ପ୍ରଭାବରେ ୨୦୨୫ ମସିହାରେ ରାଜ୍ୟ ଆଇନ କମିଶନ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି। ଏଥିରେ ଅପରାଧୀମାନଙ୍କୁ ଅଧିକ କଡ଼ା ଦଣ୍ଡ ଦେବା, ପୀଡ଼ିତଙ୍କ ପୁନର୍ବାସନ ଉପରେ ଗୁରୁତ୍ୱ ଏବଂ ସର୍ବଜନୀନ ଅପମାନ ଭଳି ଘଟଣାଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ଦଣ୍ଡ ବ୍ୟବସ୍ଥା ସାମିଲ ହୋଇଛି। ରାଜ୍ୟ ସରକାର ଏହି ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ଭବିଷ୍ୟତରେ ଏଭଳି ଘଟଣାଗୁଡ଼ିକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।