ଭୁବନେଶ୍ୱର, ୩୧/୦୧: ବିଜେଡ଼ି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ନେଇ ଗଲା କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିରେ ଆଗାମୀ ନେତୃତ୍ୱକୁ ନେଇ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ତାଙ୍କ ନାଁ ସୁପାରିଶ କରିବା ପରେ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହା ମଧ୍ୟରେ ଆଜି ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। କଳିକେଶଙ୍କ ସହିତ ନବୀନ ନିବାସରେ ଉପସ୍ଥିତ ଥିଲେ ବରିଷ୍ଠ ନେତା ପ୍ରତାପ ଜେନା ଓ ଦେବୀ ମିଶ୍ର।
ତେବେ ନବୀନଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କଳିକେଶ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କଳିକେଶ କହିଛନ୍ତି, ନବୀନଙ୍କ ପରେ କୌଣସି ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁନି। ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି। ଦଳ ଯାହା ଦାୟିତ୍ୱ ଦେଇଛି ସୂଚାର ରୂପେ ପାଳନ କରୁଛି। ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି। ବଲାଙ୍ଗିର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହେଲା। ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କଲୁ। କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି। ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ହିଁ ସୁଧୁରିବ। ୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ଦେଇଛନ୍ତି ନବୀନ। ଦଳ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କଳିକେଶ କହିଛନ୍ତି।