ମାତୃ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡାଦେଶ

୮୦ ହଜାର ଟଙ୍କା ଜୋରିମାନା ଆଦେଶ

ଆଠଗଡ, ୩୧/୦୧(ଦର୍ଶନ ନ୍ୟୁଜ): ଆଠଗଡ ଥାନା ଅନ୍ତର୍ଗତ ଆଠଗଡ ଏନ୍ଏସି ୧ନଂ ୱର୍ଡ ହେମମାଳପୁର ଗାଁରେ ଗତ ୨୦୨୨ ଅପ୍ରେଲ ୯ ତାରିଖରେ ମାଆ ସୁଷମା ଦଳାଇଙ୍କୁ ଟଙ୍କା ମାଗି ହତ୍ୟା ମାମଲାର ବିଚାର କରି ଆଠଗଡ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ରାଜ କୁମାର ଦାସ ଅଭିଯୁକ୍ତ ପୁଅ ବିଭୂତି ଭୂଷଣ ଦଳାଇକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୮୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ବିଭୂତି ଭୂଷଣ ମାଆ ସୁଷମାଙ୍କୁ ଟଙ୍କା ମାଗିଥିଲେ। ମାତ୍ର ମାଆ ସୁଷମା ପଇସା ନଦେବାରୁ ଉତ୍ୟକ୍ତ ହୋଇ ମରଣାନ୍ତକ ମାଡ ମାରି ଛାତିରେ ଚଢି ପିଞ୍ଜରା ହାଡ ଭାଙ୍ଗି ଦେଇଥିଲେ। ପରେ ପରିବାର ପକ୍ଷରୁ ମୂମୁର୍ଷୁ ଅବସ୍ଥାରେ ସୁଷମାଙ୍କୁ ପ୍ରଥମେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟବସ୍ଥାରେ ଅବନତି ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଷମା ଙ୍କ ମୃତ୍ୟୁ ଘଟିଥିବା ନେଇ ଅନ୍ୟତମ ପୁଅ ବିଶ୍ବ ଭୁଷଣ ଦଳାଇ ଆଠଗଡ ଥାନାରେ ଲିଖିତ ଅଭିଯୋଗ ଦାଏର କରିଥିଲେ।

ବିଶ୍ଵ ଭୂଷଣଙ୍କ ଏତଲାକୁ ଭିତ୍ତି କରି ଆଠଗଡ ପୋଲିସ ପକ୍ଷରୁ ଥାନା କେଶ ନଂ ୮୨/୨୨ରେ ମାମଲା ରୁଜୁ କରି ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୩୦୨ ଅନୁଯାୟୀ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ସରକାରଙ୍କ ତରଫରୁ ସରକାରୀ ଓକିଲ ଦେବାଶିଷ ସିଟ୍ ଓ ସୁଶାନ୍ତ କୁମାର ମିଶ୍ର ମାମଲାର ପରିଚାଳନା କରିଥିଲେ।