ଦୁର୍ଦ୍ଦାନ୍ତ ଅପରାଧୀ ସିପୁକୁ ଏନକାଉଣ୍ଟର

ଏକାଧିକ ରାଜ୍ୟରେ ରହିଛି ବହୁ ଅପରାଧିକ ମାମଲା

କେନ୍ଦୁଝର, ୦୧/୦୨: ବଡ଼ବିଲ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର। ଗତ କିଛି ଦିନ ତଳେ କେନ୍ଦୁଝରର ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଶାଖାରେ ଏକ ବଡ଼ ଧରଣର ଡକାୟତି ହୋଇଥିଲା। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଫେରାର ହୋଇଯାଇଥିଲା।

ସପ୍ତାହରୁ ଅଧିକ ସମୟ ଧରି ପୁଲିସ ତାକୁ ଖୋଜି ନାକେଦମ ହୋଇପଡ଼ିଥିବା ବେଳେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଟାଙ୍କୁରା ଜଙ୍ଗଲରେ ସିପୁ ରହିଥିବା ସୂଚନା ପାଇଥିଲା ବଡ଼ବିଲ ପୁଲିସ। ତାକୁ ଧରିବାକୁ ଅପରେସନ ଜୋରଦାର କରାଯାଇଥିବା ବେଳେ ଫେରାର ହେବାକୁ ଚେଷ୍ଟା କରିବା ପୁଲିସ ଉପରକୁ ଗୁଳି ଚଳାଇଥିଲା ସିପୁ।

ଯାହା ପରେ ପୁଲିସ ପାଲଟା ଗୁଳିମାଡ କରିବାରୁ ସିପୁର ଗୋଡ଼ରେ ଗୁଳି ବାଜିଥିଲା। ପରେ ପୁଲିସ ତାକୁ କାବୁ କରି ଗୁରୁତର ଅବସ୍ଥାରେ ବଡ଼ବିଲ ମେଡିକାଲ୍ (ଡାକ୍ତରଖାନା)ରେ ଭର୍ତ୍ତି କରିଛି। ତା’ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି।

ସିପୁ କୁମାର ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ପିପରା ଗାଁର ବାସିନ୍ଦା। ସେ ଏକ ଆନ୍ତଃରାଜ୍ୟ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ। ତା’ ବିରୋଧରେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଡକାୟତି, ଚୋରି ଓ ଜୋରଜବରଦସ୍ତ ଟଙ୍କା ଆଦାୟ ଭଳି ଅନେକ ସଙ୍ଗିନ ମାମଲା ରହିଛି।