ବ୍ରହ୍ମପୁର, ୦୮/୦୨: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଜେଲ ଭିତରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା।
କଡ଼ା ସୁରକ୍ଷା ମଧ୍ୟରେ, ବିକ୍ରମ ପଣ୍ଡାଙ୍କୁ ପ୍ରଥମେ ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ସର୍ଜରୀ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ସେ ପରାମର୍ଶ ପାଇଁ ଡେଣ୍ଟାଲ୍ ଓପିଡି ମଧ୍ୟ ଯାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅଲ୍ ଟ୍ରାସାଉଣ୍ଡ କରାଯାଇଛି। ଏହି ସମୟରେ ମୁହଁ ଖୋଲିଥିଲେ ବିକ୍ରମ ପଣ୍ଡା।
ବିକ୍ରମ ପଣ୍ଡା ନିଜକୁ ନିର୍ଦ୍ଦୋଷ ଦାବି କରି କହିଥିଲେ ଯେ ରାଜନୈତିକ କାରଣରୁ ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ମୋତେ ମିଛରେ ଫସାଇ ଦିଆଯାଇଛି। ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ୪ ମାସ ହେଲା ଜେଲ୍ ଭିତରେ ବି ଅସୁବିଧା କରାଯାଉଛି। ନ୍ୟାୟପାଳିକା ଉପରେ ପୂରା ଭରସା ରହିଛି, ନ୍ୟାୟ ପାଇବି ବୋଲି ବିକ୍ରମ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୪ ଜଣ ଗିରଫ ହୋଇଥିଲେ। ଏହି ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ମଧ୍ୟ ଜଣାପଡିଥିଲା। ତେବେ ଦୀର୍ଘ ଦିନ ଧରି ଜେଲ୍ରେ ରହିବା ପରେ ହଠାତ୍ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡିଥିଲେ।