ସାଂସଦଙ୍କ ପାକିସ୍ତାନ ଲିଙ୍କ୍

ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ ଆସାମ ମୁଖ୍ୟମନ୍ତ୍ରୀ

ଦିସପୁର, ୦୮/୦୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏବଂ ତାଙ୍କ ପତ୍ନୀ ଏଲିଜାବେଥ କଲବର୍ଣ୍ଣ ଗୋଗୋଇଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଉଭୟଙ୍କ ପାକିସ୍ତାନ ଲିଙ୍କ୍ ଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଏକ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ସେମାନଙ୍କର ପାକିସ୍ତାନ ସଂଯୋଗର ତଦନ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ ପଠାଇଛନ୍ତି।

ସେ ଦାବି କରିଛନ୍ତି ଯେ ଏଲିଜାବେଥ କଲବର୍ଣ୍ଣ ୨୦୧୧-୧୨ ମଧ୍ୟରେ ପାକିସ୍ତାନରେ ପୋଷ୍ଟ ହୋଇଥିଲେ ଏବଂ ମୋଟ ୯ ଥର ପାକିସ୍ତାନ ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, “ସେ ଅଲି ତୌକିର ଶେଖ ନାମକ ଜଣେ ପାକିସ୍ତାନୀ ନାଗରିକଙ୍କ ସହିତ ବହୁତ ନିକଟତର ଥିଲେ। ଯେତେବେଳେ ଆମେ ଏଲିଜାବେଥଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିଲୁ, ସେ ଉତ୍ତର ଦେବାକୁ ମନା କରିଦେଲେ।”

ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଗୌରବ ଗୋଗୋଇ କିଛି ଯୁବକଙ୍କ ସହିତ ପାକିସ୍ତାନ ଦୂତାବାସ ଯାଇଥିଲେ ଏବଂ ସେହି ଫଟୋ ଭାଇରାଲ ହୋଇଥିଲା। ସେ ସେଠାରେ ବହୁତ ସମୟ ବିତାଇଥିଲେ। ସେହି ଫଟୋ ଦେଖି ମୁଁ ବିଶ୍ୱାସ କରିପାରୁ ନଥିଲି। ଏହା ପରେ, ଆମେ ତଦନ୍ତ ଆରମ୍ଭ କରିଥିଲୁ। ଏହା ପରେ ଅବଦୁଲ ବାସିତ ମଧ୍ୟ ଆସାମ ଗସ୍ତ କରିଥିଲେ। SIT ରିପୋର୍ଟ ପରେ, ଆସାମ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଯେ ଏକ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କରିବା ଉଚିତ୍, ଏବଂ ତେଣୁ, ଆମେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛୁ।

ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଗୌରବଙ୍କୁ କେବଳ ଲାହୋର ପାଇଁ ଭିସା ଦିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ, ପାକିସ୍ତାନ ଗୃହ ମନ୍ତ୍ରଣାଳୟ ହସ୍ତକ୍ଷେପ କରି ତାଙ୍କୁ ଇସଲାମାବାଦ ଏବଂ କରାଚୀକୁ ନିମନ୍ତ୍ରଣ କରିଥିଲା। ଜଣେ ସାଧାରଣ ନାଗରିକଙ୍କୁ ପାକିସ୍ତାନରେ ଏପରି “ଲାଲ କାର୍ପେଟ” ସ୍ୱାଗତ କାହିଁକି କରାଗଲା ବୋଲି ପ୍ରଶ୍ନ କରିଛନ୍ତି।