ରାଜଧାନୀରେ ଚାଞ୍ଚଲ୍ୟ: ଦୁର୍ଘଟଣା ପରେ ମର୍ଡ଼ର ଲିଙ୍କ୍

ଶିଶୁଭବନ ଓଭରବ୍ରିଜ ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ

ଭୁବନେଶ୍ୱର, ୦୯/୦୨: ପ୍ରଥମେ ଦୁର୍ଘଟଣା, ପରେ ମର୍ଡ଼ର ଲିଙ୍କ୍। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଚାଞ୍ଚଲ୍ୟ କର ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଭୋର ସମୟରେ ଶିଶୁ ଭବନ ଓଭରବ୍ରିଜ ଉପରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା ଏକ କାର। ତଳକୁ ଖସିବା ପରେ ଏକ ଗଛକୁ ପିଟିଥିଲା କାର। ଏହାପରେ ଗଛରେ ପଡ଼ି ଏକ ଘର ଉପରକୁ ଖସି ପଡିଥିଲା କାର। କେଦାରପଲ୍ଲୀ ବସ୍ତିରେ ଥିବା କିଛି ଘର ଉପରକୁ ଖସି ପଡ଼ିଥିଲା। କିଛି ସମୟ ପରେ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ କାର୍ ଉଠାଇଥିଲା ପୋଲିସ‌।

ଏହା ପରେ ତଦନ୍ତ ଆରମ୍ଭ କରିବା ପରେ ଏ ଘଟଣାରେ ଆସିଥିଲା ନୂଆ ଟ୍ୱିଷ୍ଟ। ଗତକାଲି ରାତିରେ ହତ୍ୟାର ଶିକାର ହୋଇଥିବା ଯୁବକ ପୂର୍ବରୁ ଏହି ଦୁର୍ଘଟଣାଗ୍ରସ୍ତ କାର୍ ଚଲାଉଥିଲେ ବୋଲି ସୂଚନା ମିଳିଛି। ହତ୍ୟା ଖବର ପାଇ ଭୟଭୀତ କାର୍ ମାଲିକ ନିଜ ଗାଡ଼ିକୁ ନେଇ ଯାଉଥିଲେ। କିନ୍ତୁ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ।

ସେପଟେ ତଦନ୍ତରୁ ଜଣା ପଡିଛି ଯେ, ନିଳାଦ୍ରୀ ବିହାରରେ ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ଓ ପ୍ରେମିକାର ପୂର୍ବତନ ପ୍ରେମିକ ମିଶି ଗତ କାଲି ରାତିରେ ତାଙ୍କ ଘରେ ତଣ୍ଟି କାଟି ହତ୍ୟା କରିଥିଲେ। ମୃତକ ଜଣକ ହେଉଛନ୍ତି ବ୍ରହ୍ମଗିରିର ସତ୍ୟବ୍ରତ ପ୍ରଧାନ। ସତ୍ୟବ୍ରତ ପ୍ରେମିକା ଲିଜାଙ୍କର ପୁରୁଣା ପ୍ରେମ ସମ୍ପର୍କ ବିଷୟରେ ଜାଣି ଦେଇଥିବାରୁ ଲିଜା ତାଙ୍କ ପୁରୁଣା ପ୍ରେମିକ ତଥା ଅଭିଯୁକ୍ତ ଦିନେଶ କାଣ୍ଡିଙ୍କ ସହ ମିଶି ଏହି ପ୍ରି-ପ୍ଲାନ୍ ମର୍ଡ଼ର କରିଥିଲେ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରକୁ ପୂର୍ବରୁ ଚଲାଉଥିଲେ ସତ୍ୟବ୍ରତ। ଗାଡ଼ି ମାଲିକ ସତ୍ୟବ୍ରତଙ୍କ ହତ୍ୟା ଖବର ଜାଣିବା ପରେ ଗାଡ଼ିକୁ ନେଇ ବ୍ରହ୍ମଗିରି ପଳାଉଥିଲେ। କିନ୍ତୁ ଶିଶୁଭବନ ଓଭରବ୍ରିଜରେ ଦୁର୍ଘଟଣା ଘଟିଥିଲା। ପୋଲିସ ଲିଜା ଭୋଇ ଓ ଦିନେଶ କାଣ୍ଡିକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।