ଗୌହାଟୀ, ୧୧/୧୧: ଆସାମରେ ବଡ଼ ଟ୍ରେନ ଦୁର୍ଘଟଣା। କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ର ୭ଟି ବଗି ଲାଇନଚ୍ୟୁତ ହୋଇଛି। ବୁଧବାର ସକାଳେ ଆସାମର ଦିଗାରୁ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ର ଇଞ୍ଜିନ ସମେତ ୭ଟି ଯାତ୍ରୀବାହୀ ବଗି ରେଳ ଧାରଣାରୁ ଖସିଯାଇଥିବା ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (NFR) ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖ ବୁଧବାର ସକାଳ ପ୍ରାୟ ୬ଟା ୫୪ ମିନିଟ୍ରେ ଟ୍ରେନ୍ଟି ଦିଗାରୁ ଷ୍ଟେସନରେ ପହଞ୍ଚୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅନ୍ୟ ଏକ ଟ୍ରେନ୍କୁ ଆଗକୁ ଯିବା ପାଇଁ ରାସ୍ତା ଦେବା ନିମନ୍ତେ କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍କୁ ଷ୍ଟେସନରେ ଅଟକାଯାଉଥିଲା। ଟ୍ରେନ୍ଟି ମିଜୋରାମରୁ କୋଲକାତା ଅଭିମୁଖେ ଯାଉଥିଲା। ଏହି ସମୟରେ ଟ୍ରେନ୍ର ବେଗ ନିୟନ୍ତ୍ରଣ କରିବାରେ ଲୋକୋ ପାଇଲଟ୍ ସକ୍ଷମ ହୋଇନଥିବାରୁ ଇଞ୍ଜିନ ସମେତ ୭ଟି ବଗି ଲାଇନଚ୍ୟୁତ ହୋଇଥିବା ରେଳବାଇର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ଘଟଣା ପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମହାପ୍ରବନ୍ଧକଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯିବା ସହ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି।