୪ ନୂଆ ବିଷୟ ପାଇଁ ମାଟ୍ରିକ ସାର୍ଟିଫିକେଟ୍‌ରେ ମିଳିବ ଗ୍ରେଡ୍‌

ଏବେ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିସ୍ ଓ ବେସିକ ଆଇଟି ସ୍କିଲ୍ସ ଭଳି ୪ଟି ପାଠ୍ୟକ୍ରମକୁ ସାମିଲ କରିବା ପାଇଁ ବୋର୍ଡ ଅଫ ସେକେଣ୍ଡାରି ଏଜୁକସନ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୨୨-୨୩ରେ କେବଳ ନବମ ଶ୍ରେଣୀ ପାଇଁ ଏହାକୁ ଲାଗୁ କରାଯାଇଥିବା ବେଳେ ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଲାଗୁ ହେବ। ପ୍ରତିଟି ବିଷୟ ପାଇଁ ୨୫ ମାର୍କ ରହିଛି ଏବଂ ଏହି ବିଷୟ ପାଇଁ ୪ଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ।

ପ୍ରଥମ ୩ଟି ପର୍ଯ୍ୟାୟରେ ୫ ମାର୍କ ଲେଖାଏଁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କ ପାଇଁ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ଏହି ବିଷୟ ଗୁଡିକରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ଗୁଡ଼ିକ ପ୍ରତିଶତ ଆଧାରରେ ଗ୍ରେଡ ପ୍ରଦାନ କରାଯିବ। ଏହି ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟରେ ରହିବ ଏବଂ ସମସ୍ତ  ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।