ତୁମୁଣି ବାର୍ଷିକ ଉତ୍ସବ ପାଳିଲା ଅମର ଫାଉଣ୍ଡେସନ

ବରିଷ୍ଠ ଲୋକଙ୍କୁ ନୂତନ ବସ୍ତ୍ର ଓ ପିଲାମାନଙ୍କୁ ପାଠ୍ୟୋପକରଣ ପ୍ରଦାନ

ଯାଜପୁର, ୧୫/୦୨: ଯାଜପୁର ଜିଲ୍ଲାର ଆଦିବାସୀ ବହୁଳ ତୁମୁଣି ଗାଁର ବାର୍ଷିକ ଉତ୍ସବରେ ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ କରିଛି କଟକର ଅମର ଫାଉଣ୍ଡେସନ। ଗାଁର‌ ପିଲାମାନଙ୍କୁ ପାଠପଢ଼ା ସାମଗ୍ରୀ (ସ୍କୁଲ ବ୍ୟାଗ, ଖାତା, କଲମ, ପେନସିଲ, ରବର, ସ୍କେଲ୍, ସ୍ଲେଟ୍, ଚକ୍ ଇତ୍ୟାଦି) ବଣ୍ଟନ କରାଯାଇଥିଲା। ଗାଁର ମହିଳାଙ୍କୁ ନୂଆ ଶାଢ଼ି ଏବଂ ପୁରୁଷମାନଙ୍କୁ ନୂତନ ଟି-ସାର୍ଟ ଏବଂ ସାର୍ଟ ପ୍ରଦାନ କରାଯାଇଥିଲା।

ଏଥି ସହ ଗାଁ ଲୋକଙ୍କ କିଛି ସମୟ ବିତାଇଥିଲେ ଅମର ଫାଉଣ୍ଡେସନର‌ କାର୍ଯ୍ୟକର୍ତ୍ତା। ଗାଁରେ ଖାଦ୍ୟ ରାନ୍ଧିବା ସହ ଗାଁ ଲୋକଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ।

ନଗଡ଼ା ଉପକଣ୍ଠର ନାଲିଆଡ଼ାବରୁ ପାହାଡ଼ି ଗୁଳାବାଟ ଦେଇ ୪ କିଲୋମିଟର ଦୂରତାର ଦୁର୍ଗମ ତୁମୁଣି ଗାଁ ଭୁବନେଶ୍ୱର ଠାରୁ ପ୍ରାୟ ୧୬୦ କିଲୋମିଟର। ଏହି ଗାଁକୁ ଯିବାକୁ ରାସ୍ତା ନଥିବା ବେଳେ ଚାଲି ଚାଲି ଏହି ଗାଁରେ ଯାଇ ପହଞ୍ଚିଥିଲେ କର୍ମକର୍ତ୍ତା।

ଏହି କାର୍ଯ୍ୟକ୍ରମ ଅମର ଫାଉଣ୍ଡେସନ୍ ବ୍ୟାନର ତଳେ ଆୟୋଜିତ ହୋଇଥିଲା। ବାଦଲ ମହାନ୍ତିଙ୍କ ପୌରୋହିତ୍ୟରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅନୁପମା ଓ ଅମର ମହାନ୍ତି, ସ୍ମରଜିତ ମହାନ୍ତି, ପ୍ରଜ୍ଞା ପାରମିତା କାନୁନଗୋ, ସାମ୍ବାଦିକ ସଞ୍ଜୟ କୁମାର ବେହେରା, ସତ୍ୟଜିତ ମହାନ୍ତି, ରାକେଶ ମହାନ୍ତି, ବିଶ୍ଵଜିତ ମହାନ୍ତି, ପିୟୁଷ ମହାନ୍ତି, ଆକାଶ ମହାନ୍ତି, ପୃଥିବୀ ମହାନ୍ତି, ଅନମୋଲ ମହାନ୍ତି, ଶକ୍ତି ସୁମନ ତ୍ରିପାଠୀ, ଶକ୍ତି ପ୍ରସାଦ ବାରିକ, ବିଠଲ ପଟ୍ଟନାୟକ ଓ ବିଶ୍ଵଜିତ ଦାସ ପ୍ରମୁଖ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ୫୦ ବର୍ଷର ପ୍ରଥା ଓ ପରମ୍ପରା ଆଧାରରେ ନଗଡ଼ା ଓ ଏହାର ପାରିପାର୍ଶ୍ବକ ଅଞ୍ଚଳରେ ମହାଶିବରାତ୍ରିକୁ ବାର୍ଷିକ ଗଣପର୍ବ ଭାବେ ପାଳନ କରାଯାଇଥାଏ । ଅଞ୍ଚଳବାସୀଙ୍କ ପକ୍ଷରୁ ନାଲିଆଡାବ କମୁଣ୍ଡେଶ୍ବର ମହାଦେବ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା, ଜାଗର ଯାତ୍ରା ଓ ପରବର୍ତ୍ତୀ ୩ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହାର ଦିନକ ପୂର୍ବରୁ ପାର୍ଶ୍ଵସ୍ଥ ତୁମୁଣି, ଗୁହିଆଶାଳ, ତଳଡିହ ଜୁଆଙ୍ଗ ବସ୍ତିରେ ସ୍ବତନ୍ତ୍ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଆସୁଛି।