ସମ୍ଭାବ୍ୟ ବାତ୍ୟା, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଆସୁଛି ବାତ୍ୟା ! ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୋଟ ୭ଟି ଜିଲ୍ଲାର ଜିଲ୍ଲାପାଳ ବାତ୍ୟା ସମ୍ପର୍କୀତ ବୈଠକରେ ସାମିଲ ହେବେ । ଏହି ବୈଠକ ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ । ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

ତେବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ଏ ନେଇ ଟ୍ୱିଟ୍ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଆହୁରୀ ଘନିଭୁତ ହେବାର ଆଶଙ୍କା ରହିଛି ।