ବାତ୍ୟା ହେବା ନହେବା ନେଇ ୫୦:୫୦ର ସମ୍ଭାବନା : ସ୍କାଇମେଟ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ପଡ଼ୋଶୀ ଅଞ୍ଚଳ ଉପରେ ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତରରେ ଅବସ୍ଥିତ ରହିଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ସୁଦ୍ଧା ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପରବର୍ତୀ ୪୮ ଘଣ୍ଟାରେ ଲଘୁଚାପଟି ( ୱେଲମାର୍କ ଲୋ-ପ୍ରେସର)ରେ ପରିଣତ ହେବା ସହ ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହେବ। ତେବେ, ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ନା ନାହିଁ ତାହା ଏବେ ଠାରୁ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି କହିଛନ୍ତି ଘରୋଇ ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟର ଭିସି ମହେଶ ପଲାଓ୍ଵାଟ।

ବାତ୍ୟା ହେବା ନହେବା ନେଇ ୫୦:୫୦ର ସମ୍ଭାବନା ରହିଛି। କାରଣ ଲଘୁଚାପଟି ଦ୍ରୁତବେଗରେ ସମୁଦ୍ର ମଧ୍ୟରେ ଗତିକରି ମାତ୍ର ୪ଦିନ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଯିବ। ତେଣୁ, ଯଦି ବି ଲଘୁଚାପଟି ଗଭୀର ଅବପାତ (ଡିପ୍‌ ଡିପ୍ରେସନ)ରୁ ବାତ୍ୟାରେ ପରିଣତ ହୁଏ ତଥାପି ଏହାର ତୀବ୍ରତା ସାମାନ୍ୟ ରହିବ। ବାତ୍ୟା ପ୍ରଭାବରେ ବିଶେଷ କ୍ଷୟକ୍ଷତି ଘଟିବ ନାହିଁ। ତେବେ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ସ୍କାଇମେଟ ଆକଳନ କରିଛି।