ଭୁବନେଶ୍ୱର, ୧୭/୦୨: ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ସାଇବର କବଚ’ ଜାରି ରହିଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। ସେହି ଅନୁଯାୟୀ, ସାଇବର ଠକେଇରେ ବ୍ୟବହୃତ ‘ବେନାମୀ ବ୍ୟାଙ୍କ ଆକାଉଣ୍ଟ’ (Mule Accounts) ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏହି କ୍ରମରେ ସମଗ୍ର ରାଜ୍ୟରେ ମୋଟ ୩୫୭ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ୩୩ଟି ନୂତନ ସାଇବର ମାମଲା ରୁଜୁ ହୋଇଛି। ଏହି ସମ୍ପର୍କିତ ମାମଲାରେ ୨୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହ ୩୩ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।
ଏହି ଅଭିଯାନରେ କେନ୍ଦୁଝର ଜିଲ୍ଲା ପୋଲିସ ସର୍ବାଧିକ ୨୦୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ସାଇବର ମାମଲା ରୁଜୁ କରିଥିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ସମ୍ବଲପୁର ଜିଲ୍ଲା ପୋଲିସ ୬୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୮ଟି ମାମଲା ରୁଜୁ କରିବା ସହ ୧୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ବୌଦ୍ଧ ଜିଲ୍ଲା ପୋଲିସ ୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ସାଇବର ମାମଲା ରୁଜୁ କରିଥିବା ବେଳେ ୪ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ପୁରୀ ଜିଲ୍ଲା ପୋଲିସ ୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି । ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ସାଇବର ମାମଲା ରୁଜୁ କରି ୭ଜଣଙ୍କୁ ନୋଟିସ୍ ଜାରି କରାଯାଇଛି।
ସେହିପରି ବରଗଡ଼ ଜିଲ୍ଲା ପୋଲିସ ୮ଟି ଆକାଉଣ୍ଟ ଯାଞ୍ଚ ପରେ ୫ଟି ମାମଲା ରୁଜୁ ଓ ୩ଜଣ ଗିରଫ, ଗଜପତି ଜିଲ୍ଲା ପୋଲିସ ୫ଟି ଆକାଉଣ୍ଟ ଯାଞ୍ଚ ପରେ ୧ଟି ମାମଲା ଓ ୫ଜଣଙ୍କୁ ନୋଟିସ୍, କଳାହାଣ୍ଡ ଜିଲ୍ଲା ପୋଲିସ ୬ଟି ଆକାଉଣ୍ଟ ଯାଞ୍ଚ ପରେ ୧ଟି ମାମଲା ଓ ୬ ଜଣଙ୍କୁ ନୋଟିସ୍ କରିଛି। ସେହିପରି ରାୟଗଡ଼ା ଜିଲ୍ଲା ପୋଲିସ ୫ଟି ଆକାଉଣ୍ଟ ଯାଞ୍ଚ ପରେ ୩ଟି ମାମଲା ଓ ୩ଜଣଙ୍କୁ ନୋଟିସ୍ ଜାରି କରିଛି ଏବଂ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ୩ଟି ଆକାଉଣ୍ଟ ଯାଞ୍ଚ ପରେ ୧ଟି ମାମଲା ରୁଜୁ କରାଯାଇ ୩ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି।
ଏହି ଅଭିଯାନ ସମ୍ପୃକ୍ତ ଜିଲ୍ଲାର ଏସ୍.ପି. ଓ ଡି.ସି.ପି. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର ଟିମ୍ମାନଙ୍କ ସକ୍ରିୟ ସହଯୋଗରେ ଚାଲିଥିଲା।
ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ହେଉଛି ‘ଅପରେସନ ସାଇବର କବଚ’ର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ଜନସାଧାରଣଙ୍କ ଡିଜିଟାଲ ସୁରକ୍ଷା ନିମନ୍ତେ ଓଡ଼ିଶା ପୋଲିସ ସର୍ବଦା ଦୃଢ଼ ସଂକଳ୍ପବଦ୍ଧ।