ଉଚ୍ଚଶିକ୍ଷା ବିଭାଗ ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସଶକ୍ତ ରଣନୀତି
ଏନସିଇଟି-୨୦୨୬ ଆଧାରରେ ୪ ବର୍ଷୀୟ ବିଏଡ଼ରେ ଆଡ଼ମିଶନ; ପ୍ରବେଶିକା ପରୀକ୍ଷା ପାଇଁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ
ଭୁବନେଶ୍ୱର, ୨୦/୦୨: ୨୦୨୬-୨୭ ଶିକ୍ଷାବର୍ଷରୁ ୪ ବର୍ଷୀୟ ବିଏଡ଼ କୋର୍ସରେ (ITEP- Integrated Teacher Education Program) ଆଡ଼ମିସନ ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ -୨୦୨୬ (ଏନସିଇଟି-୨୦୨୬) ମାଧ୍ୟମରେ କରାଯିବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ନୋଟିସ୍ ଅନୁସାରେ, ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ୧୨ ଫେବୃଆରୀ, ୨୦୨୬ରୁ ଆରମ୍ଭ ହୋଇ ୧୦ ମାର୍ଚ୍ଚ,୨୦୨୬ ପର୍ଯ୍ୟନ୍ତ ଚାଲିବ। ଏନସିଇଟି ପରୀକ୍ଷା ୧୭ ଏପ୍ରିଲ, ୨୦୨୬ରେ ଅନୁଷ୍ଠିତ ହେବ।
ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୫ଟି ବିଶ୍ୱ ବିଦ୍ୟାଳୟ ଏବଂ ୮ଟି ସରକାରୀ ମହାବିଦ୍ୟାଳୟରେ ୪ ବର୍ଷୀୟ ବିଏଡ଼ (ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ) ପାଇଁ ସମୁଦାୟ ୧୩୦୦ଟି ସିଟ୍ ରହିଛି। ଏହି ସମସ୍ତ ସିଟ୍ରେ ଆଡ଼ମିଶନ ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ। ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ପର୍ସେଣ୍ଟାଇଲ୍ ଆଧାରରେ ଯୋଗ୍ୟ ପ୍ରାର୍ଥୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ଆବେଦନ କରି ନିଜ ପସନ୍ଦର ଅନୁଷ୍ଠାନ ବାଛିପାରିବେ। ମେରିଟ୍ ତାଲିକା ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ପର୍ସେଣ୍ଟାଇଲ୍ ଆଧାରରେ ପ୍ରସ୍ତୁତ ହେବ।
ପ୍ରକାଶଯୋଗ୍ୟ ଯେ, +୨ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗାମ ପାଠ୍ୟକ୍ରମ (୪ ବର୍ଷୀୟ ବିଏଡ଼ ପାଠ୍ୟକ୍ରମ)ରେ ନାମଲେଖାଇ ୪ ବର୍ଷରେ ସ୍ନାତକ ଓ ବିଏଡ଼ କୋର୍ସ ସମାପ୍ତ କରିପାରିବେ।
୨୦୨୬-୨୭ ଶିକ୍ଷା ବର୍ଷରେ ଦୁଇ ବର୍ଷୀୟ ବିଏଡ଼, ଏମଏଡ଼ ଓ ବିଏଚଡ଼ କୋର୍ସ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବପରି ଷ୍ଟେଟ ସିଲେକ୍ସନ ବୋର୍ଡ଼ (SSB) ଦ୍ୱାରା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।