ପୁରୀର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବଜେଟରେ ବଡ଼ ଘୋଷଣା: ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କଲେ ନାଲକୋର ପୂର୍ବତନ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ
ମହାପ୍ରଭୁଙ୍କ ମହିମା ପ୍ରଚାରରେ ଯୁଗାନ୍ତକାରୀ ପଦକ୍ଷେପ
ଭୁବନେଶ୍ୱର, ୨୦/୦୨: ରାଜ୍ୟ ବଜେଟରେ ପୁରୀ ଏବଂ ଶ୍ରୀମନ୍ଦିରର ଉନ୍ନତି ତଥା ପାରିପାର୍ଶ୍ୱିକ ବିକାଶ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ପୁରୀରେ ଏକ ବିଶ୍ୱସ୍ତରୀୟ ‘ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ’ ତଥା ବସ୍ତ୍ର ପ୍ରଦର୍ଶନୀ କେନ୍ଦ୍ର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ନାଲକୋ (NALCO)ର ପୂର୍ବତନ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଅତ୍ୟନ୍ତ ଚମତ୍କାର ଓ ସ୍ୱାଗତଯୋଗ୍ୟ ବୋଲି ଅଭିହିତ କରିଛନ୍ତି।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର ମହିମାର ପ୍ରଚାର ଓ ପ୍ରସାର ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଉଲ୍ଲେଖ କରି ଡଃ ଚାନ୍ଦ କହିଛନ୍ତି ଯେ, ଏହି ପ୍ରତିବଦ୍ଧତା ସହ ଓଡ଼ିଶା ବଜେଟରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ପୁରୀରେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା ହେବା ସହ ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଏବଂ ଐତିହାସିକ ରଘୁନନ୍ଦନ ପାଠାଗାରର ଆଧ୍ୟାତ୍ମିକ ଗୌରବର ପୁନରୁଦ୍ଧାର ପାଇଁ ବଜେଟରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ପୁରୀର ଅନ୍ୟତମ ପ୍ରମୁଖ ପ୍ରକଳ୍ପ ଭାବେ ଏକ ‘ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର’ ଏବଂ ‘ସାମୁଦ୍ରିକ ପ୍ରକଳ୍ପ’ (Coastal Hub) ର ପରିକଳ୍ପନା କରାଯାଇଛି। ପ୍ରାୟ ୧୫୦୦ ଏକର ଜମିରେ ଏହି ସାମୁଦ୍ରିକ ତଥା ସାଂସ୍କୃତିକ କେନ୍ଦ୍ର ନିର୍ମାଣ କରାଯିବ। ଏହି ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଆଲୋଚନା, ନବ ସୃଜନ, ଗବେଷଣା, ସଂସ୍କୃତି ଏବଂ ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଏହା ଓଡ଼ିଶାର ସାଂସ୍କୃତିକ ସ୍ମୃତିକୁ ସୁଦୃଢ଼ କରିବା ସହ ଦେଶ ବିଦେଶରେ ବ୍ୟାପକ ପ୍ରସାର କରିବାରେ ସହାୟକ ହେବ।
ହସ୍ତତନ୍ତ ବୁଣାକାର ଓ କାରିଗରମାନଙ୍କ ଜୀବିକା ଉନ୍ନତି ନିମନ୍ତେ ୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି।
ସ୍ମାର୍ଟ ସିଟି ଯୋଜନା ଅଧୀନରେ ଶ୍ରୀମନ୍ଦିର ବାହାର ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ, ଶ୍ରୀକ୍ଷେତ୍ରକୁ ଆସୁଥିବା ସମସ୍ତ ଭକ୍ତମାନଙ୍କ ସୁବିଧାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।
ବଜେଟରେ ନିଆଯାଇଥିବା ଏହି ସମସ୍ତ ଉନ୍ନତିମୂଳକ ତଥା ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ପାଇଁ ନାଲକୋର ପୂର୍ବତନ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।