ମୋର ରୁଷୀୟ ମହିଳାଙ୍କ ସହ ସମ୍ପର୍କ ଥିଲା: ବିଲ୍ ଗେଟ୍ସଙ୍କ ବଡ଼ ଖୁଲାସା

ସାର୍ବଜନିନ କ୍ଷମା ପ୍ରାର୍ଥନା କଲେ ଗେଟ୍ସ

ନୂଆଦିଲ୍ଲୀ, ୨୫/୦୨: ଏପଷ୍ଟିନ୍ ଫାଇଲ୍ସ ବିବାଦରେ ଛନ୍ଦି ହୋଇଥିବା ବିଲ୍ ଗେଟ୍ସ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛନ୍ତି। ଭାରତରେ ପ୍ରବଳ ବିରୋଧ ପରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ରୁ ଓହରି ଯାଇଥିବା ଗେଟ୍ସ ଏବେ ଗେଟ୍ସ ଫାଉଣ୍ଡେସନ୍ କର୍ମଚାରୀଙ୍କୁ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛନ୍ତି। ଯାହା ପରେ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ସହିତ ତାଙ୍କର ଅତୀତର ସମ୍ପର୍କ‌ ବି ଖୁଲାସା ହୋଇଛି। ଏପଷ୍ଟିନ୍ ଫାଇଲ୍ସ ଦଲିଲ୍ ସାର୍ବଜନୀନ ହେବା ପରେ ସେଥିରେ ଥିବା ଅନେକ ଫଟୋରେ ଗେଟ୍ସଙ୍କୁ ଦେଖା ଯାଇଥିଲା।

ଗେଟ୍ସ ଟାଉନ ହଲରେ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସ୍ୱୀକାର କରିଛନ୍ତି ଯେ ତାଙ୍କର ଦୁଇ ଜଣ ରୁଷୀୟ ମହିଳାଙ୍କ ସହିତ ସମ୍ପର୍କ ଥିଲା। ଯାହା ଏପଷ୍ଟିନ୍ ଫାଇଲ୍‌ରେ ଉଲ୍ଲେଖ କରାଯାଇଛି। କିନ୍ତୁ ତାହା ଏପଷ୍ଟିନ ପୀଡିତାଙ୍କ ସହିତ ଜଡିତ ନୁହେଁ।

ଗେଟ୍ସ କହିଥିଲେ ଯେ ଏପଷ୍ଟିନଙ୍କ ସହିତ ସମୟ ବିତାଇବା ଏବଂ ତାଙ୍କ ସହିତ ବୈଠକରେ ବିଲ୍ ଗେଟ୍ ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ସାମିଲ କରିବା ଏକ ବଡ଼ ଭୁଲ ଥିଲା।

ଗେଟ୍ସ ମଧ୍ୟ ଏପଷ୍ଟାଇନଙ୍କ ସହ ଜଡିତ ଯେକୌଣସି ବେଆଇନ ଆଚରଣରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ ବୋଲି ମଧ୍ୟ କହିଛନ୍ତି। “ମୁଁ କିଛି ଭୁଲ କରିନାହିଁ। ମୁଁ କିଛି ଭୁଲ ଦେଖିନାହିଁ। ପୀଡିତାଙ୍କ ସହିତ ଓ ତାଙ୍କ ପାଖରେ ଥିବା ମହିଳାମାନଙ୍କ ସହିତ କେବେ ବି ସମୟ ବିତାଇ ନାହିଁ।”

ଉଲ୍ଲେଖନୀୟ ଯେ, ଗେଟ୍ସ ଫାଉଣ୍ଡେସନ କହିଛି ଯେ ଏହା କେବେ ଏପଷ୍ଟିନଙ୍କୁ କୌଣସି ଆର୍ଥିକ ଦେୟ ଦେଇନାହିଁ ଏବଂ ତାଙ୍କୁ କେବେ ନିଯୁକ୍ତି ଦେଇନାହିଁ।

ଗେଟ୍ସ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ରେ ଯୋଗ ଦେଇନଥିଲେ। ତାଙ୍କୁ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଓପନଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍, ଆନ୍ଥ୍ରୋପିକ ସିଇଓ ଡାରିଓ ଆମୋଡେଇ ଏବଂ ଅନ୍ୟାନ୍ୟ ଶିଳ୍ପ ନେତାଙ୍କ ସହିତ ଏଥିରେ ଯୋଗ ଦେବାର ଥିଲା।