ଐତିହ୍ୟ ଓ ଆସ୍ଥାର ପୁନର୍ଜାଗରଣ

ମା ଦକ୍ଷିଣକାଳୀ ପ୍ରତିଷ୍ଠା ପର୍ବର ସାମୁହିକ ମହତ୍ତ୍ୱ

ଉନବିଂଶ ଶତାବ୍ଦୀରେ ଲଡୁକେଶ୍ଵର ସିଂହଙ୍କ ଶାସନକାଳ ନୟାଗଡ଼ର ଐତିହ୍ୟ ଓ ଆଧ୍ୟାତ୍ମିକ ପରମ୍ପରାରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଲିପିବଦ୍ଧ। ସେହି ସମୟରେ ପ୍ରସିଦ୍ଧ ତନ୍ତ୍ର ସାଧକ ବିଧାର ସାମନ୍ତଙ୍କ ଦ୍ୱାରା ଦେବୀଙ୍କୁ ପ୍ରସନ୍ନ କରି ଖଣ୍ଡପଡ଼ା ରାଇଜର ନନ୍ଦନବନରୁ ଆଣି ନୟାଗଡ଼ ନିଜିଗଡ଼ ମଧ୍ୟରେ ଗଡ଼ ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ଦକ୍ଷିଣକାଳୀଙ୍କୁ ସ୍ଥାପନା କରାଯାଇଥିଲା। ଏହା କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ, ବରଂ ନୟାଗଡ଼ର ସାଂସ୍କୃତିକ ପରିଚୟର ଏକ ମୂଳ ଆଧାର ଥିଲା। ସମୟ ବହି ଯାଏ, କିନ୍ତୁ ଆସ୍ଥା ଅବିଚଳ ରହେ। ଆଜି ସେହି ପବିତ୍ର ପରମ୍ପରାକୁ ଅବ୍ୟାହତ ରଖି ମା’ ଦକ୍ଷିଣକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପର୍ବ ଚଳିତ ମାସ ୨୪, ୨୫ ଓ ୨୬ ତାରିଖରେ ଆୟୋଜିତ ହେଉଛି। ଏହା ନୟାଗଡ଼ ପାଇଁ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସାମୁହିକ ସ୍ମୃତି, ଐତିହ୍ୟ ଓ ଧାର୍ମିକ ଚେତନାର ପୁନର୍ଜାଗରଣର ଅବସର। ମା’ ଦକ୍ଷିଣକାଳୀଙ୍କ ପୂଜାରେ ରହିଛି ଶକ୍ତି, ସଂହାର ଓ ସୃଷ୍ଟିର ତତ୍ତ୍ୱ। ଦେବୀଙ୍କ ଆରାଧନା ଆମକୁ ନିର୍ଭୟତା, ସଂଘଟନ ଓ ଧର୍ମନିଷ୍ଠାର ଦିଶି ଦିଏ। ଆଜିର ବିଶ୍ୱ ପରିପ୍ରେକ୍ଷିତରେ, ଯେଉଁଠାରେ ମନୁଷ୍ୟ ସମାଜ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ, ସେଠାରେ ଏପରି ଆଧ୍ୟାତ୍ମିକ ଆୟୋଜନ ଆମକୁ ଏକତା ଓ ସାମୂହିକତାର ଶକ୍ତି ଦେଇଥାଏ। ଏହି ପ୍ରତିଷ୍ଠା ପର୍ବ ଆମ ସମସ୍ତଙ୍କ ପାଇଁ ଏକ କର୍ତ୍ତବ୍ୟବୋଧର ମୁହୂର୍ତ୍ତ। ଆମେ ଯୋଗଦାନ କରି ମାଆଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ଆମ ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ଉଚିତ୍। ଦେଶର ଅଖଣ୍ଡତା, ସାମାଜିକ ସମ୍ମିଳନ ଓ ନୈତିକ ମୂଲ୍ୟବୋଧର ସୁଦୃଢ଼ତା ପାଇଁ ଏପରି ଧାର୍ମିକ ଉତ୍ସବ ଏକ ଶକ୍ତିଶାଳୀ ମଞ୍ଚ ହୋଇପାରେ।‌ ଜଗଜ୍ଜନନୀ ମାଆଙ୍କର ଏହି ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ପର୍ବ କେବଳ ଆଡମ୍ବରରେ ସୀମିତ ନ ରହି, ଏହା ନୟାଗଡ଼ର ସାଂସ୍କୃତିକ ଐକ୍ୟ ଓ ମାନବିକ ମୂଲ୍ୟବୋଧକୁ ସୁଦୃଢ଼ କରୁ। ଆମେ ଏହି ପବିତ୍ର ଅବସରରେ ମା’ ଦକ୍ଷିଣକାଳୀଙ୍କ ଚରଣରେ ପ୍ରାର୍ଥନା କରୁ କି’ ନୟାଗଡ଼ ଅଗ୍ରଗତିର ପଥରେ ଅଗ୍ରସର ହେଉ, ଓଡ଼ିଶା ଶାନ୍ତି ଓ ସମୃଦ୍ଧିରେ ଭରିଯାଉ, ଏବଂ ବିଶ୍ୱ ମାନବତାର ସନ୍ଦେଶରେ ଏକତାବଦ୍ଧ ହେଉ।

ଜୟ ମା’ ଦକ୍ଷିଣକାଳୀ। ବନ୍ଦେ ଜଗଜ୍ଜନନୀ।