ପାରାଦୀପ ବନ୍ଦରରେ ସ୍ୱତନ୍ତ୍ର ଜେଟି ପାଇଁ ୭୯୭.୧୭ କୋଟି ମଞ୍ଜୁର କଲା କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୨୭/୦୨: ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିବହନ ପାଇଁ ଆବଶ୍ୟକ ସୁବିଧା ସହିତ ଏକ ସ୍ୱତନ୍ତ୍ର ଜେଟି ବିକଶିତ କରିବ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ। ଏହି ପ୍ରକଳ୍ପ ପାଇଁ ୭୯୭ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ବିଲ୍ଡ-ଅପରେଟ-ଟ୍ରାନ୍ସଫର (ବିଓଟି) ଆଧାରରେ କାର୍ଯ୍ୟକାରୀ କରାଯିବ।
ପ୍ରସ୍ତାବିତ ପ୍ରକଳ୍ପରେ ବାର୍ଷିକ ୪ ନିୟୁତ ଟନ୍ ମାଲ ପରିଚାଳନା କ୍ଷମତା ରହିବ। ପାରାଦୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ କେନ୍ଦ୍ର ଭାବରେ ବିକଶିତ କରିବା ଲାଗି ଏହି ପ୍ରକଳ୍ପକୁ ଡିଜାଇନ୍ କରାଯାଇଛି। ପ୍ରସ୍ତାବିତ ଭିତ୍ତିଭୂମିରେ ଏକ ସ୍ୱତନ୍ତ୍ର ଜେଟି, ସଂରକ୍ଷଣ ପ୍ରଣାଳୀ, ପାଇପଲାଇନ, ପରିଚାଳନା ଉପକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଅନ୍ତର୍ଭୁକ୍ତ ହେବ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ଏହି ମଞ୍ଜୁରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ସବୁଜ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ଶ୍ରୀ ସୋନୱାଲ ଆହୁରି କହିଛନ୍ତି ଯେ, ଏହି ଅନୁମୋଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ଏବଂ ନିର୍ଣ୍ଣାୟକ ନେତୃତ୍ୱର ପ୍ରତ୍ୟକ୍ଷ ପରିଣାମ ଯାହା ଭାରତକୁ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ଅଗ୍ରଣୀ ରାଷ୍ଟ୍ର ଭାବରେ ସ୍ଥାନିତ କରିଥାଏ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଆମର ବନ୍ଦରଗୁଡ଼ିକୁ ସବୁଜ ଅଭିବୃଦ୍ଧି, ନବସୃଜନ ଏବଂ ସ୍ଥାୟୀ ଲଜିଷ୍ଟିକ୍ସ ପାଇଁ ପ୍ରବେଶପଥରେ ପରିଣତ କରାଯାଉଛି।
ଜେଟିର ଏକ୍ସଟ୍ରିମ୍ ଏଣ୍ଡ ଡଲଫିନ୍ ମଧ୍ୟରେ କେନ୍ଦ୍ରରୁ କେନ୍ଦ୍ର ଦୂରତା ୨୭୯ ମିଟର ଏବଂ ବର୍ଥ ସମ୍ମୁଖରେ ୧୪.୩ ମିଟର ଡ୍ରେଜ୍ ଗଭୀରତା ରହିବ ଯାହାଦ୍ୱାରା ତରଳ କାର୍ଗୋ ଜାହାଜର ସୁରକ୍ଷିତ ପରିଚାଳନା ସମ୍ଭବ ହେବ।
ନିର୍ମାଣ ପର୍ଯ୍ୟାୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରକଳ୍ପ ମୂଲ୍ୟର ୨୦% ସମତୁଲ୍ୟ ପୁଞ୍ଜି ସହାୟତା ପ୍ରଦାନ କରିବେ, ଯାହାର ପରିମାଣ ୧୫୯.୪୩ କୋଟି ଟଙ୍କା। ଏହି ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି।
କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ଉତ୍ସର୍ଗୀକୃତ ସବୁଜ ହାଇଡ୍ରୋଜେନ୍ ଜେଟି ରପ୍ତାନି ଲଜିଷ୍ଟିକ୍ସକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଉଦୀୟମାନ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଲଷ୍ଟରଗୁଡ଼ିକୁ ବିଶ୍ୱ ବଜାର ସହିତ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ପାରାଦୀପ ପ୍ରକଳ୍ପ କେବଳ କାର୍ଗୋ କ୍ଷମତା ବୃଦ୍ଧି କରିବ ନାହିଁ ବରଂ ପୂର୍ବ ଭାରତରେ ନିବେଶକୁ ଗତିଶୀଳ କରିବ। ଏହା ମଧ୍ୟ ନିଯୁକ୍ତି ସୃଷ୍ଟି କରିବ ଏବଂ ଏକ ଦୃଢ଼ ସବୁଜ ଶକ୍ତି ଇକୋସିଷ୍ଟମ ସୃଷ୍ଟି କରିବ।
ଏହି ସୁବିଧାରେ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରର ପ୍ରାରମ୍ଭିକ ଅଭିବୃଦ୍ଧି ପର୍ଯ୍ୟାୟରେ ସର୍ବୋତ୍ତମ ବ୍ୟବହାର ସୁନିଶ୍ଚିତ କରିବା ଏବଂ ପାରାଦୀପ ବନ୍ଦରର କାର୍ଗୋ ପ୍ରୋଫାଇଲକୁ ବିବିଧ କରିବା ପାଇଁ ଅନ୍ୟ ତରଳ କାର୍ଗୋ ପରିଚାଳନା ପାଇଁ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ହେବ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “ଡବଲ ଇଞ୍ଜିନ ସରକାରର ଦୃଢ଼ ପ୍ରୟାସରେ ଓଡ଼ିଶା ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଗକୁ ବଢୁଛି। ପାରାଦ୍ୱୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍, ଆମୋନିଆ ଓ ଅନ୍ୟାନ୍ୟ ତରଳ କାର୍ଗୋ ପରିଚାଳନା ପାଇଁ ₹୭୯୭.୧୭ କୋଟି ବ୍ୟୟ ବରାଦ ସହ ପ୍ରତିବର୍ଷ ୪ ମିଲିୟନ୍ ଟନ୍ କ୍ଷମତାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ମାଧ୍ୟମରେ ଓଡ଼ିଶାର ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଲଷ୍ଟର ବିଶ୍ୱ ବଜାର ସହିତ ସଂଯୁକ୍ତ ହେବା ସହ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ସହ ସମାନ୍ତରାଳ ଭାବରେ ଶିଳ୍ପ ଉନ୍ନୟନକୁ ନୂତନ ଗତି ଦେବ।” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।